
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଗତକାଲି ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୭ଟି ବିଭାଗ ‘ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ’ର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଛି। ଏହି ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ସୁବିଧା ପାଇବେ । ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ । ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ । ରାଜ୍ୟ କ୍ୟାବିନେଟ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବାବଦକୁ ୫ ବର୍ଷ, ଅର୍ଥାତ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି।







