
ଭୁବନେଶ୍ଵର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲାଗି ରହିଛି ପ୍ରବଳ ବର୍ଷା । ଫଳରେ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଆସିକା ସହର ଭିତରେ ପାଣି ପଶିବା ଆଶଙ୍କା ରହିଛି । ଅର୍ଣ୍ଣବ ପ୍ରଭାବରେ ରାତି ସାରା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଚାଷ ଜମି ଗୁଡ଼ିକରେ ଲହଡି ଭାଙ୍ଗୁଛି ପାଣି । ଧାନ ଓ ପନପରିବା ଫସଲ ପାଣି ଘେରରେ ରହିଥିବାରୁ ଫସଲ ସବୁ ପଚି ନଷ୍ଟ ହେବା ଆଶଙ୍କା ରହିଛି । ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଆସିକା ପୌରାଞ୍ଚଳ ଓ ବିଭିନ୍ନ ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ୨୦୦ ରୁ ଉର୍ଦ୍ଧ୍ୱ ଲୋକକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସେହିପରି ଧରାକୋଟ ଅଞ୍ଚଳରୁ ପାଖାପାଖି ୫୦୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କବିସୂର୍ଯ୍ୟନଗର ବାଘୁଆ, ଧନେଇ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଶେରଗଡ ନନ୍ଦୀନୀ ନଦୀର ଜଳସ୍ତର ବୃଦ୍ଧି ଘଟି ଶେରଗଡ଼ କୁମାରପାଣି ଭେଟସିଙ୍ଗି ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ଚାଲିଛି । ଫଳରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଶେରଗଡ଼ ବରମୁଣ୍ଡୁଳି କରଡାକଣା ମୁଖ୍ୟ ରାସ୍ତା ଉପରେ ପାଣି ଚାଲୁଛି । ଶେରଗଡ଼ ମୁଖ୍ୟ ବଜାରରେ ୬ ଫୁଟର ପାଣି ଚାଲୁଛି । ହିଞ୍ଜିଳି ଘୋଡାହାଡ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିଭଳି ବାହୁଦା ନଦୀରେ ମଧ୍ଯ ବନ୍ୟାଜଳ ବଢ଼ିବାରେ ଲାଗିଛି । ବର୍ଷା ପ୍ରଭାବରେ ହିଞ୍ଜିଳି ଘୋଡାହାଡ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଛତ୍ରପୁରର କିଛି ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସହରର ବହୁ ଅଞ୍ଚଳ ଏବଂ ତଳିଆ କଲୋନୀଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି । ଘର ଭିତରେ ପାଣି ପଶିଛି, ରାସ୍ତାଘାଟ ଅବରୋଧ ହୋଇଛି । ବର୍ଷାର ପରିମାଣ ବୃଦ୍ଧି ପାଇବା ସାଙ୍ଗକୁ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସମସ୍ୟା ଉପୁଜିଛି । ବର୍ଷା ଜଳ ରାସ୍ତା ଉପରେ ଚାଲିବା ସହ ଲୋକଙ୍କ ଘର ଭିତରକୁ ମାଡ଼ିଆସିଛି । ଛତ୍ରପୁର ପୌର ପରିଷଦ ବ୍ୟାଙ୍କ କଲୋନୀରେ ପାଣି ପଶିଛି । ତାମ୍ପରାର ପାଣି ନିଷ୍କାସନ ନହେବାରୁ ସାହି ପାଇଁ ବିପଦ ଆଣିଛି । ଛତ୍ରପୁରର ମାଧପୁର, ପୋଟଲାମପୁର, ଛତ୍ରପୁର ପୌର ପରିଷଦର ଅଗସ୍ତି ନୁଆଁ ଗାଁ, ପୋଡାପଦାର, ରାଜପୁର ଆଦି ବିଭିନ୍ନ ଅଞ୍ଚଳର ଲୋକେ ଏବେ ଭୟଭିତ ଅବସ୍ଥାରେ ଅଛନ୍ତି । ଜଳବନ୍ଦୀ ସମସ୍ୟାରେ ପଡ଼ିଥିବା ଜନସାଧାରଣ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି କରିଛନ୍ତି । ଏପଟେ ପୁଣି ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ହେଉଛି । ତେଣୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି ।
ସେହିପରି ଦିଗପହଣ୍ଡିରେ ବାତ୍ୟା ଅର୍ଣ୍ଣବର ପ୍ରଭାବ । ଲଗାଣ ବର୍ଷାରେ ଜଳମଗ୍ନ ଗଞ୍ଜାମର ଏକାଧିକ ଅଞ୍ଚଳ । ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ବ୍ରହ୍ମପୁର-ଗଜପତି ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ପାତ୍ରପୁର ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କେଉଁଠି ଲୋକଙ୍କ ଘରେ ବର୍ଷାଜଳ ପଶିଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପ୍ରାୟ ୪ ଫୁଟ୍ ଉଚ୍ଚର ପାଣି ଚାଲିଛି । ଫଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ସବୁଠାରୁ ଚିନ୍ତାଜନକ ସ୍ଥିତି ହେଉଛି, ବ୍ରହ୍ମପୁରରୁ ଗଜପତି ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଏହାଦ୍ୱାରା ଯାତ୍ରୀ ଓ ଯାନବାହନ ଚାଳକମାନେ ହଇରାଣ ହେଉଛନ୍ତି ।
ସେପଟେ ମାଲକାନଗିରି ଜିଲ୍ଲାରେ ବି ଜାରି ରହିଛି ବର୍ଷା । ଅର୍ଣ୍ଣବ ପ୍ରଭାବରେ ରାତି ସାରା ବର୍ଷା ଲାଗି ରହିଛି । ଆଜି ବି ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ବାତ୍ୟା ଛତିଶଗଡ଼ ଆଡ଼କୁ ଗତି କରୁଥିବାରୁ ଏହାର ପ୍ରଭାବରେ ମାଲକାନଗିରିରେ ଲଗାଣ ବର୍ଷା ଓ ପବନ ଦେଖିବାକୁ ମିଳୁଛି । ଧିରେ ଧିରେ ବର୍ଷାର ପରିମାଣ ବୃଦ୍ଧି ପାଉଛି । ପରିସ୍ଥିତି ଉପରେ ନଜର ରଛିଛି ଜିଲ୍ଲା ପ୍ରଶାସନ।





