
ବ୍ରହ୍ମପୁର: ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କାର୍ଯ୍ୟକ୍ରମ ଶେଷ କରି ଆଜି ସକାଳ ସାଢ଼େ 10ଟା ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେସନର 4 ନମ୍ବର ପ୍ଳାର୍ଟଫର୍ମରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱର ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି ସକାଳୁ ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ପୀଠରେ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ । ଭୋର ୫ଟା ୩୦ ମିନିଟ୍ରେ ଆର୍ମି ଏଡି କଲେଜରୁ ବାହାରି ଗୋଳାବନ୍ଧ ନିକଟସ୍ଥ ଶ୍ରୀ ଧବଳେଶ୍ୱର ପୀଠରେ ପହଞ୍ଚିଥିଲେ । ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ପୁନର୍ବାର ଆର୍ମି ଏଡି କଲେଜକୁ ଫେରିଥିଲେ ।
ବାବା ଧବଳେଶ୍ୱରଙ୍କ ପୀଠରେ ପହଞ୍ଚିବା ପରେ ସେବାୟତ ଶଙ୍କର ରଣାଙ୍କ ସମେତ ମନ୍ଦିର କମିଟିର ସଭାପତି ରାଷ୍ଟ୍ରପତିଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ । ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଗତକାଲି ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଗସ୍ତ କରିଥିଲେ ରାଷ୍ଟ୍ରପତି । ବ୍ରହ୍ମପୁର ଷ୍ଟେସନରୁ ସୁରକ୍ଷା ବଳୟ ଭିତରେ ଗଞ୍ଜାମ ଜିଲ୍ଲା ତପ୍ତପାଣି ପୀଠରେ ମା’ କନ୍ଧୁଣି ଦେବୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ । ତପ୍ତପାଣି ପୀଠରେ ରାଷ୍ଟ୍ରପତି ବୁଡ଼ ପକେଇବା ସହ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ରେଳ ଷ୍ଟେସନ, ରାଷ୍ଟ୍ରପତିଙ୍କ ଯାତ୍ରା ମାର୍ଗ, ତପ୍ତପାଣି ପୀଠ ସହିତ, ଆର୍ମି ଏଡି କଲେଜ ଫେରିବା ରାସ୍ତାକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିଲା । ଯାନବାହାନ ଚଳାଚଳ ନେଇ କଟକଣା ଜାରି ହୋଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି, ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା । ବିଭିନ୍ନ ସ୍ଥାନରେ ପ୍ରାୟ 30 ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଥିଲା ।




