
ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦ ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ।
କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁଯାୟୀ, “ବହି ତ୍ରୁଟି ଘଟଣାରେ ୨୦୦ରୁ ୨୫୦ ଜଣ ସମ୍ପୃକ୍ତ ଅଛନ୍ତି । ଏହି ମାମଲାରେ ସମସ୍ତଙ୍କ ଭୂମିକା କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେନେଇ ତରବରିଆ ଭାବେ ଆମେ କୌଣସି ପଦକ୍ଷେପ ନେବାକୁ ଚାହୁଁନାହୁଁ । ଏହି ମାମଲାରେ ଆମେ ଏକ ପ୍ରକ୍ରିୟାରେ ଯାଉଛୁ । ପୋଲିସ ଟିମ୍ ଗଠନ କରଯାଇଛି । ସେମାନେ ଏକ ପ୍ରକ୍ରିୟାରେ ଯାଉଛନ୍ତି । ତଥ୍ୟ ଓ ପ୍ରମାଣ ସଂଗ୍ରହ କରି ତଦନ୍ତ ଜାରି ରଖିଛନ୍ତି ।”
ପୂର୍ବରୁ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE & SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରି ଜେଲ ପଠାଇଛି । ତେବେ ଆଉ କିଛି ଅଧିକାରୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ବଢ଼ିଛି । କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) କାର୍ଯ୍ୟାଳୟକୁ ଯାଇ ମଧ୍ୟ ତନାଘନା ଆରମ୍ଭ କରିଥିଲା । OSEPA ଉପ- ନିର୍ଦ୍ଦେଶିକାଙ୍କୁ ପଚରାଉଚରା କରି ତଥ୍ୟ ହାସଲ କରିଥିଲା । ଏଥିସହ TE & SCERT ଅଫିସରୁ କ୍ରାଇମବ୍ରାଞ୍ଚ ଟିମ୍ ତ୍ରୁଟିପୂର୍ଣ୍ଣ ୫୫ଟି ପୁସ୍ତକ ଜବତ କରିଥିଲା ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି କହିଥିଲେ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)ର ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ପକ୍ଷରୁ ଜୁଲାଇ ୧୩ରେ ମାମଲା (ନଂ.୦୮/୨୦୨୬) ରୁଜୁ କରାଯାଇଛି ।




