
ଭୁବନେଶ୍ୱର: ଶୀତଦିନେ ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ୍ ଶାବକଗୁଡି଼କର ସ୍ୱାସ୍ଥ୍ୟ ବିଗିଡି଼ବା ଆଶଙ୍କା ଅଛି । ନନ୍ଦନକାନନର ସଂଘରୁଦ୍ଧ ଗୃହ ବାହାରେ ଏକ ବିରାଟକାୟ ଖୋଲା ଏନକ୍ଲୋଜର ନିର୍ମାଣ କରାଯାଇଛି । ଶାବକଗୁଡି଼କୁ ଦିନେ ଛାଡି଼ ଦିନେ ଖରାରେ ରଖାଯିବ । ଯେମିତିକି, ଥଣ୍ଡା କି ଜ୍ୱର ଭଳି ରୋଗ ନ ଗ୍ରାସିବ । ନନ୍ଦନକାନନ ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ କହିଛନ୍ତି, ଓରାଙ୍ଗଉଟାନ୍ ଛୁଆଗୁଡି଼କ ପୁଷ୍ଟିହୀନତା ଏବଂ ରକ୍ତହୀନତାରୁ ସୁସ୍ଥ ହୋଇସାରିଛନ୍ତି । ଗୋଟିଏ ଛୁଆ ଶରୀରରେ ଗମ୍ଭୀର ରକ୍ତହୀନତା (୪ ଗ୍ରାମ/ଡିଏଲ) ରେ ପୀଡ଼ିତ ଥିଲା । ଅନ୍ୟ ଦୁଇଟି ଛୁଆ ହିମୋଗ୍ଲୋବିନ୍ ପରିମାଣ ସାମାନ୍ୟ କମ ଥିଲା । ବର୍ତ୍ତମାନ କୌଣସି ଓରାଙ୍ଗଉଟାନ୍ ଛୁଆଙ୍କ ଶରୀରରେ ହିମୋଗ୍ଲୋବିନ୍ର ଅଭାବ ନାହିଁ । ହିମୋଗ୍ଲୋବିନ୍ ୧୧ ଗ୍ରାମ/ଡିଏଲ୍ରେ ପହଞ୍ଚିଛି । ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଶାରୀରିକ ବିକାଶ ମଧ୍ୟ ବର୍ତ୍ତମାନ ସ୍ୱାଭାବିକ ରହିଛି ।
ସେପ୍ଟେମ୍ବର ମାସ ମଧ୍ୟଭାଗରେ ଏକ ତିନିଜଣିଆ ବିଶେଷଜ୍ଞ କମିଟି ନନ୍ଦନକାନନକୁ ଯାଇଥିଲେ । ବିଶେଷଜ୍ଞ ଦଳର ପରାମର୍ଶ ଅନୁଯାୟୀ, ଚିଡ଼ିଆଖାନାରେ ଥିବା ସଂଘରୁଦ୍ଧ ଗୃହ ବାହାରେ ଏକ ବଡ଼ ଘେରା ମଧ୍ୟ ନିର୍ମାଣ ସରିଛି । ଡିସେମ୍ବର ମାସ ୧୦ ତାରିଖ ସୁଦ୍ଧା ୯୦ ଦିନିଆ ‘କ୍ୱାରେଣ୍ଟାଇନ୍’ ଅବଧି ସରିବ । ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ସେମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ । ଶୀତଦିନିଆ ସ୍ୱତନ୍ତ୍ର ବ୍ୟବସ୍ଥାର ଅନୁସାରେ ଏହି ଶାବକଗୁଡି଼କୁ ଦିନେ ଛାଡ଼ି ଦିନେ ଖରାରେ ରଖାଯିବ । ଶୀତଦିନେ ତାପମାତ୍ରା ବହୁତ କମିଗଲେ, ଲାଳନପାଳନ କେନ୍ଦ୍ର ଭିତର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରାଯିବ । ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଶାବକଗୁଡି଼କ ପାଇଁ ସ୍ୱତନ୍ତ୍ର ଭାବେ ଡାଏଟ୍ ପ୍ଲାନ୍ କରାଯାଇଛି । ଫୋର୍ଟିଫାଇଡ୍ କ୍ଷୀର, ଫଳ ଏବଂ ପୁଷ୍ଟିକର ଖାଦ୍ୟ ଦିଆଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟ ନିୟମିତ ଭାବରେ ତଦାରଖ କରାଯାଉଛି ।






