
ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ପୁଣିଥରେ ପରିବର୍ତ୍ତନ ହୋଇଛି । ଦୁଇ ଦିନ ପରିବର୍ତ୍ତେ ତିନି ଦିନ ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏହି ତିନି ଦିନ ରାଇରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ବହଳଦା ସ୍ଥିତ ମା’ କିଚେକେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ, ଜାହିରା ପୀଠର ବିକାଶ, ରେଳ ଭିତ୍ତିଭୂମିର ବିକାଶ ଏବଂ ନୂତନ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।ରାଷ୍ଟ୍ରପତି ଭବନର ସୂତ୍ର ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ସଂଶୋଧନ କରାଯାଇଛି । ସେ ଏବେ ନଭେମ୍ବର 3ରୁ 5 ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ମୟୂରଭଞ୍ଜର ରାଇରଙ୍ଗପୁରରେ ରହିବେ । ରାଷ୍ଟ୍ରପତି ପୂର୍ବ ନିର୍ଦ୍ଧାରିତ ନଭେମ୍ବର 4 ଏବଂ 5 ତାରିଖ ପରିବର୍ତ୍ତେ ନଭେମ୍ବର 3, 4 ଏବଂ 5 ତାରିଖରେ ଓଡ଼ିଶାରେ ରହିବେ ।
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁସାରେ, ନଭେମ୍ବର 3 ତାରିଖ ଦିନ ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର କଲାଇକୁଣ୍ଡ ବିମାନବନ୍ଦରରେ ପହଞ୍ଚିବେ । ପରେ ସଡ଼କ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିବେ । ଝାଡ଼ଖଣ୍ଡର ବହଡାଗୋଡା ଫରେଷ୍ଟ ଗେଷ୍ଟହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନରେ ବହଳଦା ସ୍ଥିତ ମା’ କିଚେକେଶ୍ୱରୀ ମନ୍ଦିରରେ ପହଞ୍ଚି ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଭୋଜନ ଓ ରାତ୍ରିଯାପନ କରିବେ ।
ସେହିପରି ନଭେମ୍ବର 4 ତାରିଖ ଦିନ ସକାଳ ସମୟରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପୂଜାର୍ଚ୍ଚନା ପରେ ନବନିର୍ମିତ ପ୍ରତିରକ୍ଷା ଏକ୍ସ-ସର୍ଭିସମ୍ୟାନ୍ ସିଏସ୍ଡି କ୍ୟାଣ୍ଟିନ୍ ପରିଦର୍ଶନ କରିବେ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ତିନିଜଣ ବୀର ନାରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ପି.ଡି. ହିନ୍ଦୁଜା ହସ୍ପିଟାଲ୍ ଆଣ୍ଡ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ମଧ୍ୟରେ ନେଫ୍ରୋଲୋଜି ମେଡିକାଲ୍ କ୍ୟାମ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ହେବ । ଏଥିସହ ମେଡିକାଲ୍ ଭ୍ୟାନ୍ର ଶୁଭାରମ୍ଭ କରାଯିବ । ଯାହା ଫଳରେ ଜିଲ୍ଲାରେ କୀଡନି ରୋଗ ସମ୍ପର୍କିତ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ । ପରେ ପ୍ରାୟ ୧୨୦ ଜଣ ଜାହିରା ପୀଠର ମୁଖିଆମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପରେ ରାଇରଙ୍ଗପୁର ମେଡିକାଲରେ ମେଗା ସ୍ବାସ୍ଥ ଶିବିରରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ହିତାଧିକାରୀଙ୍କୁ ଭେଟିବେ । ସେହି ଦ୍ବିତୀୟ ଦିନରେ ରାଇରଙ୍ଗପୁର କଚେରି ପଡ଼ିଆରେ ଏକ ସାଧାରଣ ସଭାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ସହ ଏକାଧିକ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଖିଚିଂ ସ୍ଥିତ ମା’ କିଚେକେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରାଯିବ । ଏଥିସହ ଜିଲ୍ଲାର 37ଟି ଜାହିରାପୀଠର ବିକାଶ ପାଇଁ ମଧ୍ୟ ଶିଳାନ୍ୟାସ ହେବ । ସେହିପରି ରାଇରଙ୍ଗପୁରରେ ସ୍ପୋର୍ଟସ୍ ହଷ୍ଟେଲ୍ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ, ତେବେ ବାଦାମପାହାଡରୁ ପୁରୀ ପାଇଁ ନୂତନ ଦୈନିକ ଏକ୍ସପ୍ରେସ୍ ଟ୍ରେନ୍ (ଟ୍ରେନ୍ ନଂ 18411/18412)ର ଶୁଭାରମ୍ଭ ସହ ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ଭାରତ ରେଳ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି ।
ଗସ୍ତର ତୃତୀୟ ତଥା ଶେଷ ଦିନ ଅର୍ଥାତ ନଭେମ୍ବର 5 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିକେଲ୍ ସେଲ୍ ଆନିମିଆ ରୋଗରେ ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ । ଏହାପରେ ମଲ୍ଟି-ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଓ ଗୋରୁମହିଷାଣୀ ଆଇରନ୍ କଲେଜ ପରିଦର୍ଶନ କରିବା ସହ ଜାହେର ଥାନ ପାଇଁ ଶାଳ ଓ ମହୁଲ ଗଛ ରୋପଣ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେହି 5 ତାରିଖ ଦିନ 4ଟା ସମୟରେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାରପୋର୍ଟରୁ ପଶ୍ଚିମବଙ୍ଗର କଲାଇକୁଣ୍ଡା ଓ ସେଠାରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ ।





