ନୀଳଗିରି, ୨୮ ।୧୦ : ନୀଳଗିରି ବାଲିଗୋହିରି ସ୍ଥିତ ସତ୍ୟସାଇ ପେଟ୍ରୋଲ ପମ୍ପରେ ବୁଧବାର ସକାଳ ପ୍ରାୟ ୯ଟା ସମୟରେ ଅଘଟଣ ଘଟିଛି । ପେଟ୍ରୋଲ ପମ୍ପ ପରିସରରେ ଥିବା ପୁରୁଣା ପେଟ୍ରୋଲ ଟାଙ୍କିକୁ ବିପିସିଲ କମ୍ପାନୀ ପକ୍ଷରୁ ଗ୍ୟାସ କଟର ସାହାଯ୍ୟରେ ଟାଙ୍କିର ଭଲବ୍ କଟାଯାଉଥିଲା । ତେବେ ଟାଙ୍କି ଭିତରେ ଗ୍ୟାସ୍ ହୋଇ ଯିବାରୁ ଟାଙ୍କିଟି ବହୁ ଜୋର୍ରେ ଆବାଜ୍ କରି ଫାଟିଯିବାରୁ ଟାଙ୍କିର ଗୋଟାଏ ପଟ ପ୍ଲେଟ୍ ବାହାରି ଯାଇ ନିକଟରେ ଥିବା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଦେହରେ ପଶି ଯାଇଥିଲା । ଫଳରେ ରେମୁଣା ବ୍ଲକର ମୁଖୁରା ପଞ୍ଚାୟତର ବିମ୍ବୁରିଆ ଗ୍ରାମର ବୀରେନ୍ଦ୍ର ସିଂହ (୬୨)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
ଲୁହା ପ୍ଲେଟଟି ଏତେ ଜୋରରେ ଯାଇଥିଲାଯେ, ବୀରେନ୍ଦ୍ରଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା । ପରେ ନୀଳଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ଲିଭାଇ ଥିଲେ । ଏହି ଖବର ପ୍ରଚାରିତ ହେବା ମାତ୍ରେ ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଖବର ପାଇ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ ସମସ୍ତ ପୋଲିସ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିଥିଲେ । ଖବର ପାଇ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପହଁଚି ହଙ୍ଗାମା କରିଥିଲେ । ପୋଲିସ ସେମାନଙ୍କୁ ବୁଝାଶୁଝା କରି ଖଣ୍ଡ ବିଖଣ୍ଡିତ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡ଼ିକାଲକୁ ନେଇଥିଲେ । ମାତ୍ର ପରିବାରକୁ ନ୍ୟାୟ ଦାବିରେ ମରଶରୀରକୁ ମେଡିକାଲରୁ ଫେରାଇ ଆଣି ଶେରଗଡ ନୀଳଗିରି ଝରଣାଘାଟି ୧୯ ନମ୍ୱର ରାଜ୍ୟ ରାଜପଥ ବାଲି ଗୋହିରୀ ପେଟ୍ରୋଲ ନିକଟରେ ମର ଶରୀର ରଖି ବେଶ୍ କିଛି ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପରେ ସ୍ଥାନୀୟ ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ, ପେଟ୍ରୋଲ ପମ୍ପ ମାଲିକଙ୍କ ସହ ଆଲୋଚନା ପରେ ମୃତକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
୧୭ଟି ଜିଲ୍ଲାରେ ଜାରି ହେଲା ଆକସ୍ମିକ ବନ୍ୟା ସୂଚନା
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଆଦି ୧୭ଟି ଜିଲ୍ଲାରେ ଆକସ୍ମିକ ବନ୍ୟା ନେଇ…



