
ଭୁବନେଶ୍ବର : ଘରୋଇ ବଜାରରେ ଯଥେଷ୍ଟ ଚିନି ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଯୋଗାଣରେ ଦେଖା ଦେଇଥିବା କୃତ୍ରିମ ଅଭାବକୁ ରୋକିବା ଲାଗି କେନ୍ଦ୍ର ସରକାର ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ମିଲ୍ ରେ ମିଳୁଥିବା ଚିନି ଦର ପାଖାପାଖି ୨୦ପ୍ରତିଶତ ହ୍ରାସ ପାଇଛି । ଫଳରେ ଖୁଚୁରା ବଜାରରେ ଚିନି ଦାମ୍ ମଧ୍ୟ ଧୀରେ ଧୀରେ କମୁଥିବା ଦେଖାଯାଇଛି । ଯୋଗାଣ ଶୃଙ୍ଖଳ ସକ୍ରିୟ ଥିବା ଯୋଗୁ ମିଲ୍ ଚିନି ଦର ହ୍ରାସର ପ୍ରଭାବ ଖୁବଶୀଘ୍ର ଖୁଚୁରା ବଜାରରେ ପଡ଼ିବ ବୋଲି ଆଶା କରାଯାଉଛି । ସରକାର ସାରା ଦେଶରେ ଚିନି ଦର, ଏହାର ଭଣ୍ଡାରଣ ଏବଂ ଯୋଗାଣ ଉପରେ କ୍ରମାଗତ ନଜର ରଖିଛନ୍ତି । ପର୍ଯ୍ୟାପ୍ତ ଉପଲବ୍ଧତା, ଯୋଗାଣ ଏବଂ ଉପଭୋକ୍ତାଙ୍କୁ ଲାଭ ପହଞ୍ଚାଇବା ଲାଗି ସରକାର ଅନେକ ସକ୍ରିୟ ପଦକ୍ଷେପ ନେଇଛନ୍ତି । ମିଲ୍ ଏବଂ ଖୁଚୁରା ଦର ହ୍ରାସ ପାଇବାର ଏହି ଧାରା ଦର୍ଶାଉଛି ଯେ ଚିନି ଦରରେ ହୋଇଥିବା ଦ୍ରୁତ ବୃଦ୍ଧି ମୁଖ୍ୟତଃ ଜମାଖୋରୀ ଏବଂ ଗୁଜବ କାରଣରୁ ହୋଇଥିଲା। ଅନ୍ୟପଟେ ଦେଖିବାକୁ ଗଲେ, ଦେଶରେ ଯଥେଷ୍ଟ ପରିମାଣରେ ଚିନି ମହଜୁଦ ରହିଛି ।ସାରା ଦେଶର ଚିନି ମିଲ୍ ଏବଂ ଚିନି ଭଣ୍ଡାର ଯାଞ୍ଚ ଲାଗି ଗ୍ରହଣ କରାଯାଇଥିବା ଅଭିଯାନ ପର୍ଯ୍ୟାପ୍ତ ଉପଲବ୍ଧତା ସ୍ଥିତିକୁ ପୁନଃ ସୁନିଶ୍ଚିତ କରିଛି । ଅନେକ କ୍ଷେତ୍ରରେ ଚିନି ମିଲ୍ ଗୁଡ଼ିକ ସରକାରଙ୍କୁ ଦେଇଥିବା ମାସିକ ବିବରଣୀ ଠାରୁ ଅଧିକ ପରିମାଣର ଚିନି ସେମାନଙ୍କ ପାଖରେ ଗଚ୍ଛିତ ଥିବା ଦେଖିବାକୁ ମିଳିଥିଲା। ଏହି ଯାଞ୍ଚ ଅଭିଯାନ ଫଳରେ ଏହା ସ୍ପଷ୍ଟ ହୋଇଛି ଯେ ଦେଶରେ ଚିନିର ଅଭାବ ନାହିଁ । ସେଥିପାଇଁ ଭୟଭୀତ ହୋଇ ଚିନି କିଣିବା କିମ୍ବା ଆବଶ୍ୟକତା ଠାରୁ ଅଧିକ ଗଚ୍ଛିତ କରି ରଖିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟ କେତେକ ମାମଲାରେ ଚିନି ମିଲଗୁଡ଼ିକ ଦ୍ୱାରା କମ୍ ବିକ୍ରି ପ୍ରକ୍ରିୟା ଅବଲମ୍ବନ କରାଯାଇଥିଲା। ଅର୍ଥାତ୍ ସେମାନଙ୍କୁ ମାସିକ କୋଟା ଅଧୀନରେ ଯେତିକି ମାତ୍ରାରେ ଚିନି ଆବଣ୍ଟନ କରାଯାଇଥିଲା, ତା’ଠାରୁ କମ୍ ମାତ୍ରାରେ ଚିନି ବିକ୍ରି କରାଯାଉଥିଲା। ଯଥେଷ୍ଟ ଚିନି ଗଚ୍ଛିତ ଥିବା ସତ୍ତ୍ୱେ ଏପରି ଗତିବିଧି ବଜାରରେ ଚିନି ଯୋଗାଣର କୃତ୍ରିମ ଅଭାବ ସୃଷ୍ଟି କରିଥିଲା।ସରକାର ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ କେତେକ ମାମଲାରେ ମାସ ଆରମ୍ଭରୁ ମିଲଗୁଡ଼ିକ ଦ୍ୱାରା ବିକ୍ରି କରାଯାଇଥିବା ଚିନି ଯୋଗାଣ ଏବଂ ଉଠାଣ ମାସ ଶେଷରେ କରାଯାଉଥିଲା। ଏହି ପ୍ରକ୍ରିୟା କାରଣରୁ ବଜାରରେ ଚିନିର କୃତ୍ରିମ ଅଭାବ ସୃଷ୍ଟି ହେଉଥିଲା। ଏହି ସମସ୍ୟାର ସମାଧାନ ଏବଂ ଚିନିକୁ ଠିକ୍ ସମୟରେ ବଜାରରେ ପହଞ୍ଚାଇବା ସୁନିଶ୍ଚିତ କରିବା ଲାଗି ସରକାର ସେପ୍ଟେମ୍ବରଠାରୁ ପାକ୍ଷିକ ଚିନି ଆବଣ୍ଟନ ପ୍ରଣାଳୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାକ୍ଷିକ କୋଟା ଅଧୀନରେ ମିଲଗୁଡ଼ିକୁ ଆବଣ୍ଟିତ ମାତ୍ରା ମଧ୍ୟରୁ ଅତିକମରେ ୪୦ ପ୍ରତିଶତ ଚିନି ପ୍ରଥମ ସପ୍ତାହରେ ଏବଂ ଅବଶିଷ୍ଟ ପରିମାଣର ଚିନି ପରବର୍ତ୍ତୀ ସପ୍ତାହରେ ବିକ୍ରି କରିବାକୁ ହେବ । ପାକ୍ଷିକ ପ୍ରଣାଳୀ ଫଳରେ ଚାହିଦା ଓ ଯୋଗାଣ ବ୍ୟବସ୍ଥିତ ହୋଇପାରିବ । ବଜାର ସ୍ଥିତିରେ ହେଉଥିବା ପରିବର୍ତ୍ତୀ ଉପରେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଇପାରିବ। ଯୋଗାଣରେ କୃତ୍ରିମ ଅଭାବକୁ ରୋକାଯାଇପାରିବ । ବଜାରରେ ଯଥେଷ୍ଟ ଚିନି ଉପଲବ୍ଧତା ବଜାୟ ରଖିବାର ଆବଶ୍ୟକତା ଦେଖାଦେଲେ ଅତିରିକ୍ତ ଚିନି କୋଟା ଜାରି କରିବା ସହଜ ହେବ । ଏହି ନମନୀୟ ବ୍ୟବସ୍ଥା ବାସ୍ତବ ଘରୋଇ ଚାହିଦା ମୁତାବକ ଚିନି ଯୋଗାଣକୁ ସୁଗମ କରିବ ।ଏହାବ୍ୟତୀତ ବିକ୍ରି ହୋଇଥିବା ଚିନିକୁ ସାତ ଦିନ ମଧ୍ୟରେ ମିଲରୁ ପଠାଇବା ଲାଗି ଚିନି ମିଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଚିନି ଯଥାଶୀଘ୍ର ଡିଲର ଏବଂ ଶେଷରେ ଉପଭୋକ୍ତାଙ୍କ ପାଖରେ ପହଞ୍ଚିପାରିବ । ଏହା ଅନାବଶ୍ୟକ ମହଜୁଦ ରଖିବା ଏବଂ ଗୁଜବ ଆଧାରିତ ଭଣ୍ଡାରଣକୁ ହତୋତ୍ସାହିତ କରିବ । ପରିଚାଳନା ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ଚିନି ଗଚ୍ଛିତ ନ ରଖିବା ଲାଗି ଚିନିର ପାଇକାରୀ ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ।
ନୂଆ ଋତୁ ପାଇଁ ୧୫ ଅକ୍ଟୋବରଠାରୁ ଆଖୁ ପେଡ଼ା ଆରମ୍ଭ ହେବ। ଅକ୍ଟୋବର ମାସରେ ୧୦ଲକ୍ଷ ମେଟ୍ରିକ୍ ଟନ୍ ଚିନି ଉତ୍ପାଦନ ନେଇ ଆଶା କରାଯାଉଛି । ସରକାର ଚିନି ମିଲଗୁଡ଼ିକୁ ଅକ୍ଟୋବର ମାସରେ ଉତ୍ପାଦିତ ଚିନିକୁ ବିନା କୌଣସି କଟକଣାରେ ବିକ୍ରି ଲାଗି ଅନୁମତି ଦେଇଛନ୍ତି। ଏହା ଫଳରେ ନୂଆ ଋତୁରେ ଉତ୍ପାଦିତ ଚିନି ତୁରନ୍ତ ବଜାରରେ ପହଞ୍ଚି ପାରିବ । ନଭେମ୍ବରରେ ପାଖାପାଖି ୪୫ ଲକ୍ଷ ମେଟ୍ରିକ୍ ଟନ୍ ଚିନି ଉତ୍ପାଦନ ହେବାର ଆଶା କରାଯାଉଛି ଯାହାଫଳରେ ଘରୋଇ ବଜାରରେ ଯଥେଷ୍ଟ ଚିନି ଉପଲବ୍ଧ ହୋଇପାରିବ । ଦେଶରେ ଚିନି ଅଭାବ ନାହିଁ ବୋଲି ସରକାର ପୁଣିଥରେ ଉପଭୋକ୍ତାମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ଆଗାମୀ ପାର୍ବଣ ଋତୁରେ ଉଚିତ୍ ଦାମରେ ଏବଂ ପର୍ଯ୍ୟାପ୍ତ ପରିମାଣରେ ଚିନି ଯୋଗାଣ ଲାଗି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ।




