ଭୁବନେଶ୍ବର : ନକଲି ସୁନା ଚେନ୍ ଦେଇ ଅସଲି ସୁନା ଠକେଇ ଘଟଣାରେ ବନ୍ଧା ହେଲେ ଭାଉଜ ନଣନ୍ଦ ଗ୍ୟାଙ୍ଗ। ବିଭିନ୍ନ ସୁନା ଦୋକାନରେ ନକଲି ସୁନା ଦେଇ ନେଉଥିଲେ ଅସଲି ସୁନା। ଗତ ୨୬ତାରିଖରେ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ। ଆଜି ରେଳ ଷ୍ଟେସନ୍ ନିକଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ କଲା ଖାରବେଳନଗର ଥାନା ପୋଲିସ। ସେମାନଙ୍କ ନିକଟରୁ ଆଇଫୋନ୍ ଓ ସୁନା ବ୍ରେସଲେଟ୍ ଜବତ କରାଯାଇଛି ।
ଖାରବେଳନଗର ଥାନା ଅଞ୍ଚଳରେ ନକଲି ସୁନା ଚେନ୍ ଦେଇ ଅସଲି ସୁନା ଅଳଙ୍କାର ଠକେଇ ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ବାରଣାସୀ ଅଞ୍ଚଳର ଲକ୍ଷ୍ମୀ ତିୱାରୀ । ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ଲିଖିତ ଏତଲା ଆଧାରରେ ଖାରବେଳନଗର ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୪ ଅଗଷ୍ଟ ୨୦୨୬ ସନ୍ଧ୍ୟାରେ ଦୁଇ ଜଣ ମହିଳା ଗ୍ରାହକ ବେଶରେ ସିଟି ଚନ୍ଦନ ଜୁଏଲର୍ସକୁ ଆସିଥିଲେ। ସେମାନେ ଜାଲ୍ ହଲମାର୍କ ଲାଗିଥିବା ପ୍ରାୟ ୨୨.୮୫୦ ଗ୍ରାମର ଏକ ନକଲି ସୁନା ଚେନ୍ ଦୋକାନରେ ଦେଇ ତା’ ବଦଳରେ ୨୨ କ୍ୟାରେଟ୍ର ଅସଲି ସୁନା ନେକଲେସ୍ ନେଇ ଫେରାର ହୋଇଯାଇଥିଲେ। ପରେ ଦୋକାନୀ ଚେନ୍ଟି ନକଲି ବୋଲି ଜାଣିବା ପରେ ଭୁବନେଶ୍ୱର ଜୁଏଲରୀ ଆସୋସିଏସନ୍କୁ ଜଣାଇଥିଲେ। ଏହି ଗ୍ୟାଙ୍ଗର ଜଣେ ସଦସ୍ୟା ସାଧନା ତିୱାରୀ ୨୫ ଅଗଷ୍ଟରେ ଅନ୍ୟ ଏକ ଜୁଏଲରୀ ଦୋକାନରେ ସମାନ ଢଙ୍ଗରେ ଠକେଇ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।




