ବିଶ୍ୱସ୍ତରୀୟ ଅସ୍ଥିରତା ଏବଂ ଅଶାନ୍ତି ସମୟରେ ମଧ୍ୟ ଆମେ ସଫଳତା ହାସଲ କରିଛୁ: ମୋଦୀ

ନୂଆଦିଲ୍ଲୀ : କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଜନସାଧାରଣଙ୍କ ଆଶା ଓ ବିଶ୍ୱାସ ରକ୍ଷା କରିବାରେ ସଫଳ ହୋଇଥିବାରୁ ସେ ଗର୍ବିତ ବୋଲି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଏନଡିଏ ନେତାମାନଙ୍କ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସମସ୍ତ ଏନଡିଏ ସହଯୋଗୀ ଦଳଗୁଡ଼ିକର ଏକ ମିଳିତ ସଫଳତା। ମୋଦୀ କହିଛନ୍ତି ଯେ ‘ମୋର ଏହି ଯାତ୍ରାରେ ସାଥୀ ହୋଇଥିବା ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜଣାଉଛି। ଏହି ଅବସରରେ ଏନଡିଏ ପରିବାରର ସଦସ୍ୟମାନେ ଏକ ସଂକଳ୍ପ ପ୍ରସ୍ତାବ ମଧ୍ୟ ଆଣିଛନ୍ତି ଯାହା ଆପଣମାନଙ୍କର ସ୍ନେହ ଓ ଉଦାରତାକୁ ଦର୍ଶାଉଛି। ମୁଁ ଏହି ସଫଳତାକୁ ମୋର ବ୍ୟକ୍ତିଗତ ସଫଳତା ବୋଲି ଭାବୁ ନାହିଁ। ଏହା ପ୍ରତିଟି କ୍ଷେତ୍ରରେ ଆମର ସାମୂହିକ ସଫଳତା ଏବଂ ଏନଡିଏର ପ୍ରତ୍ୟେକ ସହଯୋଗୀ ଦଳର ଏକ ସଫଳତା। ତେଣୁ ମୁଁ ଏହି ସଂକଳ୍ପକୁ ବିଜେପି ସମେତ ଆମର ଏନଡିଏ ପରିବାରର ସମସ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରୁଛି।’ ସେ ଆହୁରି କହିଛନ୍ତି ଯେ ଦୀର୍ଘ ସମୟ ଧରି ଭାରତ ମାତାର ସେବା କରିବାର ସୌଭାଗ୍ୟ କେବଳ ଭଗବାନଙ୍କ ସ୍ୱତନ୍ତ୍ର କୃପାରୁ ହିଁ ସମ୍ଭବ। ମୋ ପାଇଁ ଦେଶର ଜନସାଧାରଣ ହେଉଛନ୍ତି ଭଗବାନଙ୍କ ସ୍ୱରୂପ। ଏହି କାରଣରୁ ମୁଁ ସର୍ବଦା ଏହି ସେବାକୁ ଏକ ଆଧ୍ୟାତ୍ମିକ ସାଧନା ଭାବେ ଗ୍ରହଣ କରିଛି। ଏହି ଯାତ୍ରା
କେବେ ବି ଏକାକୀ ନଥିଲା, ଏହା ଏକ ସାମୂହିକ ‘ଯଜ୍ଞ’ ଥିଲା, ଯେଉଁଥିରେ ଆପଣ ସମସ୍ତେ ଏବଂ ଅନ୍ୟାନ୍ୟ ସହଯୋଗୀମାନେ କର୍ତ୍ତବ୍ୟବୋଧର ସହ ନିଜର ଅବଦାନ ଦେଇଛନ୍ତି। ‘ଚରୈବେତି, ଚରୈବେତି’ (ଆଗକୁ ବଢ଼ିଚାଲ) ମନ୍ତ୍ରକୁ ଜପ କରି ଏବଂ ଏହି ରାଜନୈତିକ ଯାତ୍ରାରେ ଅନେକ ସ୍ଥିତି-ପରିସ୍ଥିତି ଦେଖିବା ପରେ ମୁଁ କେବେ କଳ୍ପନା କରିନଥିଲି ଯେ ଦିନେ ଏହି ମାଇଲଖୁଣ୍ଟରେ ପହଞ୍ଚିବି। ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଦୀର୍ଘ ସମୟ ଧରି କ୍ରମାଗତ ଭାବେ ସେବା କରିବାର ସୁଯୋଗ ପାଇବାକୁ ମୁଁ ମୋର ପରମ ସୌଭାଗ୍ୟ ମନେ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୨୦୧୪ ପରଠାରୁ ନିଜ ସରକାରଙ୍କ ସଫଳତା ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ବିଶ୍ୱସ୍ତରୀୟ ଅସ୍ଥିରତା ଏବଂ ଅଶାନ୍ତି ସମୟରେ ମଧ୍ୟ ଆମେ ସଫଳତା ହାସଲ କରିଛୁ। ଏହି ସମୟ ଏକ ସ୍ଥିର ସରକାରର ଲାଭକୁ ବାରମ୍ବାର ପ୍ରମାଣିତ କରିଛି। ଆମେ କୋଭିଡ-୧୯ ମହାମାରୀ ସମୟକୁ କେବେବି ଭୁଲି ପାରିବା ନାହିଁ। ଯେତେବେଳେ ଚାରିଆଡ଼େ ବିପର୍ଯ୍ୟୟ ଏବଂ ସଙ୍କଟ ଦେଖାଦେଇଥିଲା ସେତେବେଳେ ମଧ୍ୟ ଭାରତ ସଫଳତାର ସହ ଆଗକୁ ବଢ଼ିଥିଲା। ବିଶ୍ୱର ପ୍ରମୁଖ ଦେଶଗୁଡ଼ିକ ନିଜର ସ୍ଥିର ଅର୍ଥନୀତି ସଂଘର୍ଷ କରୁଥିବା ବେଳେ ଭାରତ ୨୦୨୫-୨୬ ବର୍ଷରେ ୭.୭% ଅଭିବୃଦ୍ଧି ହାର ହାସଲ କରିଛି। ଗତ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୭.୮% ରହିଥିଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ରୁ ୨୦୧୬ ମଧ୍ୟରେ ଆମେ ମାନୁଫ୍ୟାକଚରିଂ (ଉତ୍ପାଦନ) କ୍ଷେତ୍ରରେ ଭିତ୍ତିଭୂମି ସ୍ଥାପନ କରିଥିଲୁ। ଆମେ ଅନ୍ୟ ଦେଶ ଉପରେ ନିର୍ଭର କରି ରହିପାରିବା ନାହିଁ, କାରଣ ଏହା ଭାରତର ସୁରକ୍ଷା ଏବଂ ଅର୍ଥନୀତି ସହ ଜଡ଼ିତ। ବର୍ତ୍ତମାନ ଆମେ ଏହାର ସକାରାତ୍ମକ ପରିଣାମ ଦେଖୁଛୁ। ବର୍ତ୍ତମାନ ସମଗ୍ର ବିଶ୍ୱ ଭାରତ ପାଖରୁ ସମାଧାନ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ଏବେ ଗ୍ଲୋବାଲ ସପ୍ଲାଇ ଚେନ୍ (ଯୋଗାଣ ଶୃଙ୍ଖଳା) ପାଲଟିଛୁ। ତୈଳ ଏବଂ ଗ୍ୟାସ ଅନୁସନ୍ଧାନ କ୍ଷେତ୍ରରୁ ଆମକୁ ଭଲ ଖବର ମିଳୁଛି। ଏଠାରେ ଅନେକ ସମ୍ଭାବନା ରହିଛି। ଏହା ସହ ଭାରତକୁ ଶୀଘ୍ର ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଏବଂ ଆଣବିକ ଶକ୍ତିର ଲକ୍ଷ୍ୟ ହାସଲ କରିବାକୁ ହେବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ପୂର୍ବତନ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଦେଶକୁ କୋଟି କୋଟି ଟଙ୍କାର ଦୁର୍ନୀତି ମଧ୍ୟକୁ ଠେଲି ଦେଇଥିଲା। ୨୦୧୪ରେ ଯେତେବେଳେ ଏନଡିଏ ସରକାର ଗଠନ ହେଲା, ସେତେବେଳେ ଦେଶର ଭାଗ୍ୟ ବଦଳିଗଲା। ଯେତେବେଳେ ଉଦ୍ଦେଶ୍ୟ, ନୀତି ଏବଂ ନିଷ୍ପତ୍ତି ମଧ୍ୟରେ ସମନ୍ୱୟ ରହେ, ସେତେବେଳେ ବିକାଶର ଗତି କେମିତି ହୁଏ ତାହା ଦେଶ ଦେଖିଛି। ଯେଉଁ କାମ ପାଇଁ ପୂର୍ବରୁ ଦଶନ୍ଧି ଦଶନ୍ଧି ସମୟ ଲାଗୁଥିଲା, ତାହା ମାତ୍ର କେଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଉଥିବା ଦେଶବାସୀ ଦେଖିଛନ୍ତି।
ବୈଠକରେ କେନ୍ଦ୍ର ମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍.ଡି. କୁମାରସ୍ୱାମୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୪,୩୯୯ ଦିନ ସହ ସବୁଠାରୁ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ତାଙ୍କ ନେତୃତ୍ୱ ପ୍ରତି ଦେଶବାସୀଙ୍କ ଅତୁଟ ବିଶ୍ୱାସର ପ୍ରମାଣ। ମୋଦୀଙ୍କ ନେତୃତ୍ୱରେ ହିଁ ଦେଶର ବିକାଶ ସମ୍ଭବ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ହେବ। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ କହିଥିଲେ ଯେ ମୋଦୀ ହେଉଛନ୍ତି ୧୪୦ କୋଟି ଭାରତୀୟଙ୍କ ଆତ୍ମସମ୍ମାନ। ମୋଦୀ ହେଉଛନ୍ତି ଆତଙ୍କବାଦୀଙ୍କୁ ନିପାତ କରିବାର ନାମ। ମୋଦୀ ହେଉଛନ୍ତି ଗରିବ କଲ୍ୟାଣ ଏବଂ ସେମାନଙ୍କର ଉନ୍ନତିର ପ୍ରତୀକ। ବିଶ୍ୱ ଦରବାରରେ ଭାରତର ସମ୍ମାନ ଏବଂ ଦେଶର ନୂତନ ଉଡ଼ାଣର ଅନ୍ୟ ନାମ ହେଉଛି ମୋଦୀ।
କେନ୍ଦ୍ର କ୍ୟାବିନେଟ ବୁଧବାର ନରେନ୍ଦ୍ର ମୋଦୀଙ୍କୁ ଦେଶର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛି। ଏଥିପାଇଁ କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଲଗାତାର ୪,୩୯୯ ଦିନ ସେବା କରିବାର ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ସେ ଜବାହରଲାଲ ନେହରୁଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି, ଯିଏ ୧୯୫୨ ରୁ ୧୯୬୪ ପର୍ଯ୍ୟନ୍ତ ଲଗାତାର ୪,୩୯୮ ଦିନ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ କ୍ୟାବିନେଟ୍‌ରେ ପାରିତ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ଏହି ମାଇଲଖୁଣ୍ଟ ଏପରି ସମୟରେ ଆସିଛି ଯେତେବେଳେ ମୋଦୀଙ୍କ ନେତୃତ୍ବରେ ଏନଡିଏ ସରକାର ୧୨ ବର୍ଷ ପୂରଣ କରିଛି। ପ୍ରଧାନମନ୍ତ୍ରୀଙ୍କ ଜନସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ନିରନ୍ତର ସମର୍ପଣର ପ୍ରତୀକ ଭାବରେ ରେଖାଙ୍କିତ କରି, ଏହି ପ୍ରସ୍ତାବରେ ସେ ୨୦୧୪ ରେ “ପ୍ରଧାନ ସେବକ” ଭାବରେ କରିଥିବା ଘୋଷଣାକୁ ମନେ ପକାଇ ଦିଆଯାଇଛି ଯାହା ‘ସବ୍‌କା ସାଥ, ସବକା ବିକାଶ’ ମନ୍ତ୍ର ପ୍ରତି ପ୍ରତିବଦ୍ଧ ଥିଲା। ପ୍ରସ୍ତାବରେ ପ୍ରତିରକ୍ଷାଠାରୁ ଏଆଇ ପର୍ଯ୍ୟନ୍ତ କ୍ଷେତ୍ରରେ ହୋଇଥିବା ଭାରତୀୟ ଉତ୍ପାଦନର ପ୍ରଗତି ଓ ମେକ୍‌ ଇନ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନର ଅଗ୍ରଗତି ବିଷୟରେ ଉଲ୍ଲେଖ ରହିଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ କାର୍ଯ୍ୟ କରିବାର ସଫଳତା ପାଇଁ ମୋଦୀଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ମିଳିଛି।

  • Related Posts

    ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ପ୍ରକାଶ ଚିକ୍ ବାରାଇକ

    କଲକାତା : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଭୁଶୁଡିବାରେ ଲାଗିଛି। ଜଣକ ପରେ ଜଣେ ସାଂସଦ ଦେଉଛନ୍ତି ଇସ୍ତଫା। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଆଜି ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ,…

    Continue reading
    ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ

    ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ। ୨୧ ଜଣ ସୁରକ୍ଷିତ ଉଦ୍ଧାର ହେଲେ ୩ ଜଣଙ୍କ ମିଳୁନି ପତ୍ତା। ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜୋରଦାର କରିଛି ବୈଦେଶିକ ମନ୍ତ୍ରାଳୟ। ଆକ୍ରମଣକୁ ଭାରତ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ