
ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରଜିଷ୍ଟ୍ରାର (ଓ.ଆର୍.ଏସ୍) ମିସ୍ ମନିଷା ମିଶ୍ରଙ୍କୁ ଜଣେ କ୍ରେତାଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେରଙ୍ଗା ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ କ୍ରେତା ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମର ୦.୧୪ ଡିସମିଲ୍ ଜମିର ବିକ୍ରୟନାମା (ସେଲ୍ ଡିଡ୍) ପଞ୍ଜୀକରଣ କରିବାକୁ ଚାହୁଁଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗର ନିୟମ ଅନୁଯାୟୀ ଏହିପରି ଜମିକୁ ସ୍ଥିତିବାନ୍ ଭାବେ ଗ୍ରହଣ କରାଯାଇ ପଞ୍ଜୀକରଣ କରାଯାଇପାରିବ। ମାତ୍ର ସବ୍-ରଜିଷ୍ଟ୍ରାର ମିସ୍ ମିଶ୍ର ଏହାକୁ କର୍ଣ୍ଣପାତ ନକରି ମୂଳରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। କ୍ରେତା ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣକୁ ୭,୦୦୦ ଟଙ୍କାକୁ ହ୍ରାସ କରାଯାଇଥିଲା।ଏଥିରେ ଅତିଷ୍ଠ ହୋଇ କ୍ରେତାଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ମିସ୍ ମିଶ୍ରଙ୍କଠାରୁ ସମସ୍ତ ୭,୦୦୦ ଟଙ୍କା ଜବତ କରିବା ସହ ତାଙ୍କୁ ଗ୍ରିଫ୍ତାର କରିଛି। ଏହି ଘଟଣା ପରେ ତାଙ୍କ ସମ୍ପର୍କିତ ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଚଢ଼ଉ ଜାରି ରହିଛି।ଏହି ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ପି.ଏସ୍. କେସ୍ ନଂ ୨୬/୨୦୨୬, ଧାରା ୭ ପି.ସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତାତିଶ ଚାଲିଛି। ସୂଚନାଯୋଗ୍ୟ ଯେ ମିସ୍ ମିଶ୍ର ୨୦୨୪ ମସିହାରେ ସେବାରେ ଯୋଗଦେଇଥିଲେ ଏବଂ ବାଲିପାଳରେ ପ୍ରୋବେସନାର୍ ଭାବେ କାର୍ଯ୍ୟରତ ଥିଲେ।





