
ଭୁବନେଶ୍ଵର : ସଡ଼କ ଆଉ ସେତୁ ପ୍ରକଳ୍ପରେ ଆଉ ହେବନି ବିଳମ୍ବ । ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର । ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ଵୟନକୁ ତ୍ଵରାନ୍ଵିତ କରିବା ଲକ୍ଷ୍ୟ । ଏଣିକି କୌଣସି ସଡ଼କ ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ ଘୋଷଣା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ନିର୍ମାଣ କାର୍ଯ୍ୟ ପାଇଁ ଉପଲବ୍ଧ ହେବା ସହ ସମସ୍ତ ଆବଶ୍ୟକ ଅନୁମତି ଓ ଅନୁମୋଦନ ମିଳିଥିବା ବାଧ୍ୟତାମୂଳକ ହେବ । ପୂର୍ବରୁ ସଡ଼କ ପ୍ରକଳ୍ପର ଠିକା ଦେବା ପୂର୍ବରୁ ୯୦ ପ୍ରତିଶତ ଜମି ଉପଲବ୍ଧ ଥିବା ସର୍ତ୍ତ ରହିଥିଲା । ଏବେ ଏହି ସର୍ତ୍ତକୁ କାର୍ଯ୍ୟାରମ୍ଭ ତାରିଖ ଘୋଷଣା ସହ ଯୋଡ଼ାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ଏଣିକି ଜଙ୍ଗଲ, ବନ୍ୟପ୍ରାଣୀ ଅନୁମତି ଓ ପରିବେଶ ମଞ୍ଜୁରୀ ଜରୁରୀ । ଜମି ଅଧିଗ୍ରହଣ, ବିଦ୍ୟୁତ୍ ଓ ଜଳ ସେବା ସମ୍ପୂର୍ଣ୍ଣ ହୋଇଥିବା ଜରୁରୀ ।
ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ସମୀକ୍ଷାରୁ ଜଣାପଡିଲା ଯେ, ଗୋଟିଏ ପ୍ରକଳ୍ପ ୩ ରୁ ୫ ବର୍ଷ ବିଳମ୍ବିତ ହେଉଥିଲା । ଆମ ସରକାର ଆସିବା ପରେ ବିଳମ୍ବ ପ୍ରକଳ୍ପକୁ ସାରିବାକୁ ଗୁରୁତ୍ୱ ଦିଆଗଲା । ଆଗରୁ ଏଜେନ୍ସିକୁ ଏଗ୍ରିମେଣ୍ଟ ହେଉଥିଲା କିନ୍ତୁ ଜମି ଅଧିଗ୍ରହଣ ହୋଇନଥିଲା । ଅଧିକାଂଶ ବ୍ରିଜ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇ ପାରୁନଥିଲା । ଆମେ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ଅନେକ ପଦକ୍ଷେପ ନେଇଛୁ । Opwd କୋଡରେ ମଧ୍ୟ ଆବଶ୍ୟକୀୟ ସଂଶୋଧନ ଆସିଛି ।





