
ମହାକାଳପଡ଼ା :ପୋଲିସକୁ କାମୁଡ଼ିଲେ…ଆକ୍ରମଣ କଲେ…ବିଡିଓକୁ ଅସଭ୍ୟ, ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କଲେ। କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚମେଲି ଓଝାଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ମାମଲାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ସତ। ଗତକାଲି ମହାକାଳପଡ଼ା ବ୍ଲକ ଅଫିସକୁ ଧସେଇ ପଶିଥିଲେ ଚମେଲି।
ବୈଠକ ଚାଲିଥିବା ବେଳେ ବିଡିଓଙ୍କ ସହ ଯୁକ୍ତିତର୍କ କରିବା ସହ ଅସଭ୍ୟ ବ୍ୟବହାର ଦେଖାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ୍ ଚେଷ୍ଟା କରିବା ବେଳେ ତାଙ୍କୁ ବି ଛାଡ଼ି ନଥିଲେ ଚମେଲି। ପୋଲିସକୁ ଦୁର୍ବବ୍ୟହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।
ଏପରିକି ପୋଲିସ୍ ସହ ଧସ୍ତାଧସ୍ତି ସହ ଆକ୍ରମଣ କରିଥିଲେ। ପୋଲିସ୍ SI ତପସ୍ବିନୀ ବିଶ୍ବାଳଙ୍କୁ କାମୁଡ଼ି ଦେଇଥିଲେ। ହୋମଗାର୍ଡଙ୍କ ତଣ୍ଟି ଚିପି ଦେବାକୁ ଉଦ୍ୟମ କରିଥିଲେ। ଏଥିରେ ମହିଳା ସବ୍-ଇନ୍ସପେକ୍ଟର ତପସ୍ବିନୀ ବିଶ୍ବାଳ, ଜଣେ ମହିଳା ହୋମଗାର୍ଡ, ଜଣେ OAPF କର୍ମଚାରୀ ତିନି ଜଣ ଆହତ ବି ହୋଇଛନ୍ତି।
ଖାଲି ଏତିକି ନୁହେଁ, ଥାନାକୁ ମହାକାଳପଡ଼ା ଥାନା ପୋଡ଼ି ଦେବାକୁ ବି ସେ ଧମକ ଦେଇଥିଲେ। ଏନେଇ ଥାନାରେ ଏତଲା ହୋଇଛି। ଘଟଣା ପରେ ପୋଲିସ୍ ତାଙ୍କୁ ସେଠୁ ଉଠାଇ ଆଣିବା ସହ ମାମଲା ରୁଜୁ କରିଛି। ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ଅଭିଯୋଗ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


