
ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିବାର ନା ନେଉନି । ଏହାରି ଭିତରେ ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ତଥାପି ହିଂସା ଥମିନାହିଁ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳୁଛି । ନେପାଳ ସରକାର ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍ ଉପରେ ରୋକ୍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍ ସେଲ୍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ଥଫା ଦାବି କରୁଛନ୍ତି ।
ଏହି ସମୟରେ ସୂଚନା ମିଳୁଛି ଯେ ନେପାଳର ପ୍ରଧାନମନ୍ତ୍ରୀ ଦେଶ ଛାଡି ଦୁବାଇ ଯାଇପାରନ୍ତି । କୁହାଯାଉଛି ଯେ ସେ ଚିକିତ୍ସା ବାହାନା କରି ଦୁବାଇ ଯିବାକୁ ଯୋଜନା କରୁଛନ୍ତି । କାରଣ ତାଙ୍କ ବିରୋଧରେ ବିକ୍ଷୋଭ ଏତେ ହିଂସାତ୍ମକ ହୋଇଗଲାଣି ଯେ ପୁଲିସ ନେତାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହେଲା ଭଳି ମନେ ହେଉଛି ।ନେପାଳରେ ରହୁଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଏକ ସତର୍କତା ଜାରି କରାଯାଇଛି । ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।


