
ଭୁବନେଶ୍ୱର: ବିଏମ୍ସିର ଶ୍ରମିକ ମାରଣ ନୀତି ବିରୋଧରେ ରାଜଧାନୀର ସଫେଇ ମଜଦୁର ସଂଘ ଆନ୍ଦୋଳନ ଡାକରା ଦିଆଯାଇଛି । ଦରମା ବୃଦ୍ଧି ଓ ବୋନସ ଦାବିରେ ଆସନ୍ତା ମଙ୍ଗଳବାରଠୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ ।
ଧାରଣାରେ ବସିବେ ସଫେଇ କର୍ମଚାରୀ । ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି । ସଂଘ ପକ୍ଷରୁ ଚାରି ଦଫା ଦାବି ରହିଛି । ମୃତ୍ୟୁ ପରେ ଅନୁଦାନ, ଇପିଏଫ୍, ଇଏସ୍ଆଇ ଓ ଦରମା ବୃଦ୍ଧି ସାଙ୍ଗକୁ ସଫେଇ କର୍ମଚାରୀଙ୍କୁ ବୋନସ ଦେବାକୁ ଦାବି କରାଯାଇଛି । ଏଥିରେ ଜାଗୃତି, ଗ୍ରୀନ ସର୍କଲ, ପିଏଚଆର୍, ପିଏମଆର, ଆୱାର ଲ୍ୟାଣ୍ଡ, ହର୍ସବର୍ଦ୍ଧନ, ଲାୟନ୍ସ, ପ୍ରତ୍ୟୁଷ ଓ ସୁଲଭ ଏଜେନ୍ସି ଅଧୀନରେ କାର୍ୟ୍ୟ କରୁଥିବା ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ।
ସୂଚନାଯୋଗ୍ୟ, ଗତବର୍ଷ ପ୍ରଥମ ଥର ପାଇଁ ବିଏମ୍ସି ପକ୍ଷରୁ ବୋନସ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବୋନସ ନ ଦେବାକୁ ବିଏମ୍ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତ । ଗୋଟିଏ ପଟେ ସାମାଜିକ ସୁରକ୍ଷା ମିଳୁନଥିବା ବେଳେ ବିଏମ୍ସିର ଏଭଳି ଶ୍ରମିକ ମାରଣ ନୀତି ବିରୋଧରେ ଆସନ୍ତାକାଲି ସଫେଇ କାମ ସାରି ଧାରଣାରେ ବସିବାକୁ ସଂଘ ନିଷ୍ପତ୍ତି ନେଇଛି ।




