
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବିଦ୍ରୋହୀ ସାଂସଦ ଗୋଷ୍ଠୀର ଶକ୍ତି ବୃଦ୍ଧି ହୋଇଛି। ବିଦ୍ରୋହୀ ଗୋଷ୍ଠୀଙ୍କ ସଂଖ୍ୟା ଦୁଇ ତୃତୀୟାଂଶରେ ପହଞ୍ଚିଛି। ବିଦ୍ରୋହୀ ସାଂସଦଙ୍କ ଗୋଷ୍ଠୀରେ ମମତା ବାନାର୍ଜୀଙ୍କ ଘନିଷ୍ଠ ତଥା ବଙ୍ଗଳା ଅଭିନେତ୍ରୀ ସାୟନୀ ଘୋଷ, ମାଲା ରାୟ, ଅଭିନେତା ଶତ୍ରୁଘ୍ନ ସିହ୍ନା, ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନ ପ୍ରମୁଖ ସାମିଲ ହୋଇଛନ୍ତି। ଏମାନଙ୍କୁ ମିଶାଇ ବିଦ୍ରୋହୀ ସାଂସଦଙ୍କ ସଂଖ୍ୟା ଦୁଇ ତୃତୀୟାଂଶ ଅର୍ଥାତ୍ ୧୯ରେ ପହଞ୍ଚିଛି। ଏହି ବିଦ୍ରୋହୀ ସାଂସଦମାନେ ବିଜେପି ନେତୃତ୍ବାଧୀନ ଏନଡିଏରେ ମିଶିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଥିବା ଜଣାଯାଇଛି। ଲୋକସଭାରେ ଟିଏମସିର ଏବେ ୨୮ ସାଂସଦ ଅଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଦସ୍ୟ ଯଦି ଏନଡିଏରେ ଯୋଗ ଦିଅନ୍ତି ତେବେ ଦଳବଦଳ ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ। ପୂର୍ବରୁ ଟିଏମସିର ଦଳୀୟ ପଦରୁ ଇସ୍ତଫା ଦେଇଥିବା କାକୋଲି ଘୋଷ ଦସ୍ତିଦାର କହିଥିଲେ ଯେ ଟିଏମସିର ୧୯ଜଣ
ସାଂସଦ ଏନଡିଏରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ସଂସଦରେ ଶାସକ ଏନଡିଏକୁ ସମର୍ଥନ କରିବେ ମାତ୍ର ବିଜେପିରେ ମିଶିବେ ନାହିଁ। ଏନଡିଏରେ ସାମିଲ ହେବା ଲାଗି ବିଦ୍ରୋହୀ ସାଂସଦମାନେ ବାଚସ୍ପତିଙ୍କୁ ଦେଇଥିବା ଚିଠି ସର୍ବସାଧାରଣରେ ପ୍ରକାଶ ପାଇନାହିଁ। ବିଦ୍ରୋହୀ ଗୋଷ୍ଠୀରେ ସାମିଲ ଥିବା ଟିଏମସି ସାଂସଦମାନେ ହେଲେ ଶତ୍ରୁଘ୍ନ ସିହ୍ନା (ଆସାନସୋଲ),କାକୋଲି ଘୋଷ (ବାରାସାତ),ଜଗଦୀଶ ଚନ୍ଦ୍ର ବାସୁନିଆ (କୋଚ ବିହାର),ଖଲିଲ୍-ଉର-ରେହମାନ (ଜଙ୍ଗୀପୁର), ୟୁସୁଫ ପଠାନ (ବହରମପୁର), ଆବୁ ତାହିର ଖାନ (ମୁର୍ଶିଦାବାଦ), ପାର୍ଥ ଭୌମିକ (ବାରାକପୁର), ବାପି ହାଲଦାର (ମଥୁରାପୁର),ସାୟନୀ ଘୋଷ (ଯାଦବପୁର),ମାଲା ରାୟ (କଲକାତା ଦକ୍ଷିଣ), ମିତାଲି ବାଗ (ଆରାମବାଗ), ଦୀପକ ଅଧିକାରୀ (ଘାଟାଲ), କାଳୀପଦ ସୋରେନ (ଝାଡ଼ଗ୍ରାମ), ଜୁନ୍ ମାଲିଆ (ମେଦିନୀପୁର),ଅରୂପ ଚକ୍ରବର୍ତ୍ତୀ (ବାଙ୍କୁଡ଼ା),ଶର୍ମିଲା ସରକାର (ବର୍ଦ୍ଧମାନ ପୂର୍ବ),ଅସିତ କୁମାର ମାଲ (ବୋଲପୁର),ଶତାବ୍ଦୀ ରାୟ (ବୀରଭୂମ) ଓ ରଚନା ବାନାର୍ଜୀ (ହୁଗୁଳି)।
ଅନ୍ୟପଟେ ଟିଏମ୍ସି ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୫୮ରୁ ୬୪କୁ ବୃଦ୍ଧି ପାଇଛି। ବିଦ୍ରୋହୀ ବିଧାୟକଙ୍କ ନେତା କୁହାଯାଉଥିବା ବିଧାନସଭାର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ ବୁଧବାର ଦାବି କରିଛନ୍ତି ଯେ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ଆହୁରି ବଢିବ। ତେବେ ବିଦ୍ରୋହୀ ବିଧାୟକମାନେ କଂଗ୍ରେସ ସହିତ ମିଶିବେ ନାହିଁ। ସେମାନେ ଟିଏମସିର ବିଧାୟକ ହୋଇ ରହିବେ। ୫୮ ବିଧାୟକଙ୍କ ସମର୍ଥନ ସହିତ ଋତବ୍ରତ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ହୋଇଛନ୍ତି।


