
ଦେବଗଡ଼:ବାରକୋଟ ବ୍ଲକର ଖଜୁରୀଖମଣ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ଓ ଅଚଳ ନଳକୂପକୁ ମରାମତି କରିବା ପାଇଁ ସ୍ବେଚ୍ଛାସେବୀ ତନ୍ମୟ ବାରିକ ଦାବି କରିଛନ୍ତି। ଏନେଇ ଶ୍ରୀ ବାରିକ ଆଜି ବାରକୋଟ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହାସହିତ ସରକାରଙ୍କ ଜନ ଅଭିଯୋଗ ପୋର୍ଟାଲରେ ଦେବଗଡ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ଖଜୁରୀଖମଣ ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି।ଗ୍ରାମରେ ପାଇପ ଯୋଗେ ଜଳଯୋଗାଣ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ। ଅନ୍ୟପଟେ ଗ୍ରାମରେ ଥିବା ତିନୋଟି ନଳକୂପ ଅଚଳ ହୋଇପଡିରହିଛି। ଯାହାଫଳରେ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଅଚଳ ହୋଇପଡ଼ିଥିବା ନଳକୂପର ତୁରନ୍ତ ମରାମତି କରାଯାଉ, ଅସମ୍ପୂର୍ଣ୍ଣ ପାଇପ୍ ଜଳ ଯୋଗାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଗ୍ରାମବାସୀଙ୍କୁ ନିୟମିତ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସ୍ବେଚ୍ଛାସେବୀ ଶ୍ରୀ ବାରିକ ଦାବି କରିଛନ୍ତି। ଉକ୍ତ ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।





