
ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଏକ ନୂଆ ସର୍କୁଲାର ଜାରି କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ କେଉଁ ବିଷୟଗୁଡ଼ିକ ପଢ଼ିବେ ଏବଂ ଦଶମ ଶ୍ରେଣୀରେ ସେମାନଙ୍କର ମୂଲ୍ୟାୟନ ବା Assessment କିପରି ହେବ । CBSE ନବମ ଶ୍ରେଣୀ (୨୦୨୬-୨୭) ରୁ ଦଶମ ଶ୍ରେଣୀ (୨୦୨୭-୨୮) କୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା (Scheme of Studies) ରେ କେତେକ ପରିବର୍ତ୍ତନ କରିଛି । ସର୍କୁଲାର ଅନୁଯାୟୀ, ଏବେ ଦଶମ ଶ୍ରେଣୀରେ Environmental Education ବିଷୟ ପଢ଼ାଯିବ ନାହିଁ, ଯେତେବେଳେ କି ନବମ ଶ୍ରେଣୀରେ ‘ଇଣ୍ଡିଭିଜୁଆଲ୍ସ ଇନ୍ ସୋସାଇଟି’ (Individuals in Society) ଏବଂ CT ଓ AI ର ମଡ୍ୟୁଲ୍ ମଧ୍ୟ ଏହି ବ୍ୟାଚ୍ ଗୁଡ଼ିକର ପାଠ୍ୟକ୍ରମର ଅଂଶ ହେବ ନାହିଁ ।
ନୂଆ ସର୍କୁଲାର ଅନୁସାରେ, ନବମ ଶ୍ରେଣୀରେ ଧନ୍ଦାମୂଳକ ଶିକ୍ଷା (Vocational Education) ବାଧ୍ୟତାମୂଳକ ରହିବ । ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ‘କୌଶଳ ବିକାଶ’ (Skill Development) କିମ୍ବା CBSE ଦ୍ୱାରା ବିଜ୍ଞାପିତ ୨୨ଟି ସ୍କିଲ୍ ବିଷୟ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ପଡ଼ିବ । ‘କୌଶଳ ବିକାଶ’ ବାଛୁଥିବା ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ସ୍କୁଲ୍ ସ୍ତରରେ ହେବ, ଯେତେବେଳେ କି ୨୨ଟି ସ୍କିଲ୍ ବିଷୟ ମଧ୍ୟରୁ ଗୋଟିଏ ବାଛୁଥିବା ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ (୨୦୨୭-୨୮) ର ବୋର୍ଡ ପରୀକ୍ଷାରେ ସେହି ବିଷୟର ପରୀକ୍ଷା ଦେବାକୁ ପଡ଼ିବ । ଏହି ବିଷୟଗୁଡ଼ିକ ମଧ୍ୟରେ ଇନଫର୍ମେସନ ଟେକ୍ନୋଲୋଜି (IT), ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ଡାଟା ସାଇନ୍ସ, ରିଟେଲ୍, ହେଲଥକେୟାର, ବ୍ୟାଙ୍କିଂ ଓ ଇନସୁରାନ୍ସ, ଟୁରିଜିମ୍, ଏଗ୍ରିକଲଚର, ଡିଜାଇନ୍ ଥିଙ୍କିଂ ଆଣ୍ଡ ଇନୋଭେସନ ଏବଂ ଅଟୋମୋଟିଭ୍ ସାମିଲ ଅଛି।
ସର୍କୁଲାରରେ କୁହାଯାଇଛି ଯେ , ୨୦୨୫-୨୬ ପାଠ୍ୟକ୍ରମ ବ୍ୟବସ୍ଥାରେ ଉପଲବ୍ଧ ଅନ୍ୟ ବୈକଳ୍ପିକ ବିଷୟ ଗୁଡ଼ିକ ନବମ ଶ୍ରେଣୀ (୨୦୨୬-୨୭) ଏବଂ ଦଶମ ଶ୍ରେଣୀ (୨୦୨୭-୨୮) ରେ ମଧ୍ୟ ଜାରି ରହିବ । CBSE ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ ଏହି ସର୍କୁଲାରର ସୂଚନା ଛାତ୍ରଛାତ୍ରୀ ଏବଂ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ପାଖରେ ପହଞ୍ଚା ଯାଉ । ତେବେ ଏହି ନୂଆ ପରିବର୍ତ୍ତନଗୁଡ଼ିକ ୨୦୨୬-୨୭ ର ଚାଲୁଥିବା ଦଶମ ଶ୍ରେଣୀ ବ୍ୟାଚ୍ ଉପରେ ଲାଗୁ ହେବ ନାହିଁ ।
ଛାତ୍ରଛାତ୍ରୀମାନଙ୍କୁ ମୋଟ ୯ଟି ବିଷୟ ପଢ଼ିବାକୁ ପଡ଼ିବ, ଯେଉଁଥିରେ ତିନୋଟି ଭାଷା (R1, R2 ଏବଂ R3), ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ (Social Science), କଳା ଶିକ୍ଷା (Art Education), ଶାରୀରିକ ଶିକ୍ଷା ଓ ସ୍ୱାସ୍ଥ୍ୟ (Physical Education and Well-being) ଏବଂ ଧନ୍ଦାମୂଳକ ଶିକ୍ଷା (Vocational Education) ସାମିଲ ରହିଛି । ‘ଆର୍ଟ ଏଜୁକେସନ୍’ ଏବଂ ‘ଫିଜିକାଲ୍ ଏଜୁକେସନ୍’ ପାଇଁ ସ୍କୁଲଗୁଡ଼ିକ ନମ୍ବର ବଦଳରେ ଗ୍ରେଡ୍ ଦେବେ ଏବଂ D କିମ୍ବା ତା’ଠାରୁ ଉପର ଗ୍ରେଡ୍ ଆଣୁଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ ।





