
-ଅନାଥ ଶିଶୁ ଝାନ୍ସୀ ରାଣୀ ପ୍ରଧାନଙ୍କ ଭବିଷ୍ୟତ ପାଇଁ ଆଗେଇ ଆସିଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ
-ବିପର୍ଯ୍ୟୟ ମଧ୍ୟରେ ମାନବିକତାର ନିଆରା ପଦକ୍ଷେପ
ରାଇକିଆ: ପ୍ରକୃତିର କୋପରେ ଉଜୁଡ଼ିଗଲା ହସଖୁସିର ସଂସାର। ଯେଉଁ ବୟସରେ ବାପା-ମା’ଙ୍କ ସ୍ନେହ ଓ ମମତାରେ ଶୈଶବ କଟିବା କଥା, ସେହି ବୟସରେ ମାତାପିତାଙ୍କୁ ହରାଇ ଅନାଥ ହୋଇପଡ଼ିଛି ତିନି ବର୍ଷର କୁନି ଝିଅ ଝାନ୍ସୀ ରାଣୀ ପ୍ରଧାନ। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଘଟିଥିବା ଦୁଃଖଦ ଘଟଣା ଏହି ଶିଶୁଟିର ଜୀବନକୁ ଦୋହଲାଇ ଦେଇଛି। ଏଭଳି ଦୁଃଖଦ ସମୟରେ ଶିଶୁଟିର ଭବିଷ୍ୟତ ପାଇଁ ଆଗେଇ ଆସିଛନ୍ତି କନ୍ଧମାଳ ଲୋକସଭା କ୍ଷେତ୍ରର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ। ସେ ଝାନ୍ସୀ ରାଣୀଙ୍କୁ ନିଜର ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି।
ବାତ୍ୟା ଓ ଲଗାଣ ବର୍ଷାର ପ୍ରଭାବରେ ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ଭୂସ୍ଖଳନ ଯୋଗୁଁ ଅନେକ ପରିବାର ଗଭୀର ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏହି ବିପର୍ଯ୍ୟୟରେ ମାଣିକେଶ୍ବର ପଂଚାୟତ ର ଡାଙ୍ଗେସି ଗ୍ରାମ ର ଝାନ୍ସୀ ରାଣୀ ନିଜ ବାପା-ମା’ଙ୍କୁ ହରାଇଛନ୍ତି। ମାତ୍ର ତିନି ବର୍ଷ ବୟସରେ ଜୀବନର ଏତେ ବଡ଼ ଦୁଃଖକୁ ସାମ୍ନା କରିଥିବା ଏହି ଶିଶୁଟିର ଆଗାମୀ ଜୀବନକୁ ନେଇ ସ୍ୱାଭାବିକ ଭାବେ ଚିନ୍ତା ବଢ଼ିଥିଲା। ଏହି ପରିସ୍ଥିତିରେ ସାଂସଦଙ୍କ ପକ୍ଷରୁ ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ମାତାପିତାଙ୍କୁ ହରାଇଥିବା ଏହି କୁନି ଶିଶୁଟିର ଲାଳନପାଳନ, ଶିକ୍ଷା ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିବାବେଳେ ସାଂସଦଙ୍କ ଏହି ପଦକ୍ଷେପ ତା’ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି। ଜୀବନର ଆରମ୍ଭରୁ ପିତାମାତାଙ୍କ ସ୍ନେହରୁ ବଞ୍ଚିତ ହୋଇଥିବା ଶିଶୁଟିକୁ ସ୍ନେହ, ସୁରକ୍ଷା ଓ ଉତ୍ତମ ଭବିଷ୍ୟତ ଦେବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି।ପ୍ରାକୃତିକ ବିପର୍ଯ୍ୟୟ କେବଳ ଧନସମ୍ପତ୍ତି ଓ ଭିତ୍ତିଭୂମିର କ୍ଷତି କରେ ନାହିଁ, ଅନେକ ପରିବାରର ଜୀବନରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଥାଏ। ଝାନ୍ସୀ ରାଣୀଙ୍କ ଘଟଣା ଏହାର ଏକ ମର୍ମସ୍ପର୍ଶୀ ଉଦାହରଣ। ତେବେ ଏହି ଦୁଃଖଦ ଘଟଣା ମଧ୍ୟରେ ସାଂସଦଙ୍କ ପକ୍ଷରୁ ଶିଶୁଟିକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରାଯିବା ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଏକ ଉଲ୍ଲେଖନୀୟ ଉଦାହରଣ ଭାବେ ଆଲୋଚିତ ହେଉଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା





