
ମାଲକାନଗିରି : ମାଓ ବିରୋଧୀ ଅପରେସନରେ ସୁରକ୍ଷାବାହିନୀକୁ ବଡ଼ ସଫଳତା । ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେଜି ହିଲ୍ସ ଜଙ୍ଗଲରୁ ୭୧୧ଟି ବିଜିଏଲ୍ ସେଲ୍ ଜବତ । ତାଡ଼ାପାଲା ଏଫ୍ଓବି ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ସୂଚନା ମିଳିଛି । ଗୁରୁବାର ଦିନ ସର୍ଚ୍ଚ ଅପରେସନ ବେଳେ ଏହି ମାଓସାମଗ୍ରୀ ମିଳିଛି ।
ସୂଚନାନୁଯାୟୀ, ପୁଲିସ, ସିଆର୍ପିଏଫ୍ ଏବଂ କୋବ୍ରା ବାହିନୀର ମିଳିତ ଟିମ୍ ପକ୍ଷରୁ ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ କେଜି ହିଲ୍ସ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏହି ସମୟରେ ୭୧୧ଟି ବିଜିଏଲ୍ ସେଲ୍ ଜବତ ହୋଇଛି । ଏହି ବିସ୍ଫୋରକ ସାମଗ୍ରୀ ଗୁଡ଼ିକୁ ସୁରକ୍ଷା ନିୟମ ଅନୁଯାୟୀ ସୁରକ୍ଷା ବାହିନୀ ନିଜ ହେପାଜତକୁ ନେଇଛନ୍ତି । ଅନ୍ୟପକ୍ଷରେ କର୍ରେଗୁଟ୍ଟା ଏବଂ ଏହାର ଆଖପାଖ ପାହାଡ଼ିଆ ଅଞ୍ଚଳକୁ ବର୍ତ୍ତମାନ ନଯିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି । ଏହି ଅଞ୍ଚଳରେ ଏବେ ମଧ୍ୟ ଆଇଇଡି ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଥିବା ଆଶଙ୍କା କରାଯାଉଛି । ଆଗାମୀ ଦିନରେ ଯୋଜନାବଦ୍ଧ ଭାବେ ଡି-ମାଇନିଂ ଅଭିଯାନ ଚଳାଇ ବିସ୍ଫୋରକଗୁଡ଼ିକୁ ନିଷ୍କ୍ରିୟ କରାଯିବ ବୋଲି କୁହାଯାଇଛି ।





