
ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-(ଏସ୍ଏସ୍ଆର୍-୨୦୨୭) ଆରମ୍ଭ ହେବ। ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୭, ଜାନୁଆରୀ ପହିଲାକୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ଏସ୍ଏସ୍ଆର୍-୨୦୨୭ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏସ୍ଏସ୍ଆର କାର୍ଯ୍ୟସୂଚୀ ଅନୁଯାୟୀ, ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥାକରଣ ୨୦୨୬ ଆସନ୍ତା ୨୦ତାରିଖ ଥିବାବେଳେ ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶନ ତାରିଖ ଆସନ୍ତା ୩୦ ତାରିଖ ରହିଛି। ଦାବି ଓ ଆପତ୍ତି ଦାଖଲ ସମୟସୀମା ନଭେମ୍ବର ୩୦ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ରହିଛି। ଦାବି ଓ ଆପତ୍ତିଗୁଡ଼ିକର ସମାଧାନ ୨୦୨୭ ଜାନୁଆରୀ ୧୬ ଥିବାବେଳେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ୨୦୨୭ ଜାନୁଆରୀ ୨୧ରେ କରାଯିବ। ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରଯୁଜ୍ୟ ନିର୍ଦେଶାବଳୀ ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକର ସୁବ୍ୟବସ୍ଥାକରଣ/ପୁନର୍ବିନ୍ୟାସ କରାଯିବ। ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି, ଭୋଟରଙ୍କ ସୁବିଧା, ମତଦାନ କେନ୍ଦ୍ରଗୁଡ଼ିକର ସୁଗମ ଉପଲବ୍ଧତା ଏବଂ ମତଦାତାଙ୍କ ପାଇଁ ଉପଯୁକ୍ତ ସ୍ଥାନରେ ମତଦାନ କେନ୍ଦ୍ର ସ୍ଥାପନ ସୁନିଶ୍ଚିତ କରିବା। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସର୍ବାଧିକ ୧,୨୦୦ ଭୋଟର ରହିବାର ନିର୍ଦ୍ଧାରିତ ସୀମାକୁ ଦୃଷ୍ଟିରେ ରଖି ନୂତନ ମତଦାନ କେନ୍ଦ୍ରର ଆବଶ୍ୟକତା ଥିଲେ ତାହା ଆକଳନ କରାଯିବ। ଆବଶ୍ୟକସ୍ଥଳେ ଆୟୋଗଙ୍କ ଅନୁମୋଦନ ନିଆଯିବ। ଏଥିସହିତ ଭୋଟରମାନଙ୍କୁ ସମାନ ଭାବରେ ବଣ୍ଟନ କରିବା ନିମନ୍ତେ ସେକ୍ସନଗୁଡ଼ିକର ମଧ୍ୟ ପୁନର୍ବିନ୍ୟାସ କରାଯିବ। ଭୋଟରମାନଙ୍କୁ ନିଜର ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ଯେପରି ଦୁଇ କି.ମି.ରୁ ଅଧିକ ବାଟ ଯିବାକୁ ନ ପଡ଼େ କିମ୍ବା କୌଣସି ପ୍ରାକୃତିକ ପ୍ରତିବନ୍ଧକ ଅତିକ୍ରମ କରିବାକୁ ନ ପଡ଼େ, ତାହା ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯିବ। ଏହି ପ୍ରକ୍ରିୟା ମାଧ୍ୟମରେ ମତଦାନ କେନ୍ଦ୍ରଗୁଡ଼ିକୁ ଅଧିକ ସୁଗମ ଓ ସୁବିଧାଜନକ କରିବା, ଭୋଟର ତାଲିକାର ସଠିକତା ବୃଦ୍ଧି କରିବା ଏବଂ ଏକ ସୁଗମ ଓ ଭୋଟର-ଅନୁକୂଳ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ରଖାଯାଇଛି। ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟାର ସଫଳ ରୂପାୟନ ଏବଂ ସଠିକ୍ ଓ ସମାବେଶୀ ଭୋଟର ତାଲିକା ବଜାୟ ରଖିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଂଶୀଦାରଙ୍କୁ ଅନୁରୋଧ କରାଯାଉଛି।
ଏହି ଏସ୍ଏସ୍ଆର ପ୍ରକ୍ରିୟାରେ ୨୦୨୭ ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧କୁ ୧୮ବର୍ଷ ପୂରୁଥିବା ଯୁବକ ଓ ଯୁବତୀମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଖରେ ଆବେଦନ କରିପାରିବେ।





