
ଭୁବନେଶ୍ୱର : ଓଡ଼ିଶାର ନବୀକରଣ ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଭାରତ ସରକାରଙ୍କ ନୀତି ଆୟୋଗ ଅଧିନସ୍ଥ ଅଟଳ ଇନୋଭେସନ୍ ମିଶନ୍ (ଏଆଇଏମ୍) ପକ୍ଷରୁ ବିଶ୍ୱବିଦ୍ୟାଳୟରେ ଅଟଳ ଇନ୍କୁ୍ୟବେସନ ସେଂଟର- ସୋଆ ଫାଉଣ୍ଡେସନ୍ (ଏଆଇସି-ସୋଆ ଫାଉଣ୍ଡେସନ୍) ପ୍ରତିଷ୍ଠା କରିବା ନିମନ୍ତେ ସମ୍ମାନଜନକ ଅନୁଦାନ ମିଳିଛି ।
ଏହା ଏକ ଐତିହାସିକ ମୁହୂର୍ତ ସୃଷ୍ଟି କରିବା ସହ ସୋଆ ଓଡ଼ିଶାରେ ତୃତୀୟ ଅଟଳ ଇନ୍କୁ୍ୟବେସନ୍ ସେଂଟର ପ୍ରତିଷ୍ଠା କରିଛି । ଯାହାକି ନବୀକରଣ ଓ ଉଦ୍ୟୋଗୀକରଣକୁ ନେଇ ବିକଶିତ ଭାରତ ୨୦୪୭ର ପରିକଳ୍ପନାକୁ ସଫଳ ରୂପାନ୍ତର କରିବା ନିମନ୍ତେ କାର୍ଯ୍ୟ କରିବ ।
ଏହି ମୁହୂର୍ତକୁ ଉତ୍ସବମୁଖର କରିବା ନିମନ୍ତେ ଗତ ଗୁରୁବାର ଦିନ ଏଆଇସି ବୋର୍ଡ ରୁମ୍ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏ କ୍ଷେତ୍ରରେ ଅନୁଦାନ ପ୍ରାପ୍ତ କରିବା ନିମନ୍ତେ ଆବେଦନ କରିବା ସମୟ ଠାରୁ ଅନୁଦାନ ପ୍ରାପ୍ତ ହେବାର ସଫଳତା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏ କ୍ଷେତ୍ରରେ ଫ୍ୟାକଲ୍ଟି ମେମ୍ବର ଏବଂ ନେତୃବର୍ଗଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କୁଳପତି ପ୍ରଶଂସା କରିଥିଲେ ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ସମ୍ପର୍କରେ ଆଲୋକପାତ କରିବା ସହ ଗବେଷଣା, ନବୀକରଣ ଏବଂ ଉଦ୍ୟୋଗୀକରଣ କ୍ଷେତ୍ରରେ ତାଙ୍କର ପ୍ରତିବଦ୍ଧତା ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଜାତୀୟ ନେତୃତ୍ୱ ହାସଲ କରିବା ଦିଗରେ ଅଗ୍ରସର ହେବାକୁ ସାହାଯ୍ୟ କରିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
କାର୍ଯ୍ୟକ୍ରମରେ ଏଆଇସି ସୋଆ ଫାଉଣ୍ଡେସନ୍ର ନିଦେ୍ର୍ଧଶକ ପ୍ରଫେସର ମାନସ କୁମାର ମଲ୍ଲିକ ଯୋଗ ଦେଇ ଏଆଇସି-ସୋଆ ଫାଉଣ୍ଡେସନ୍ ସାରା ଓଡ଼ିଶା ସମେତ ପୂର୍ବ ଭାରତର ଉଦ୍ୟୋଗୀକରଣ ଦିଗରେ ସହାୟକ ହେବା ସହ ହେଲ୍ଥଟେକ୍, ଏଗ୍ରିଟେକ୍, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ/ମେସିନ୍ ଲର୍ଣ୍ଣିଂ, କ୍ଲିନ୍ଟେକ୍ ଏବଂ ସାମାଜିକ ନବୀକରଣ କ୍ଷେତ୍ରର ଷ୍ଟାର୍ଟ-ଅପ୍ ଗୁଡ଼ିକ ନିମନ୍ତେ ସହାୟକ ହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡେପୁଟି ଜେନେରାଲ ମ୍ୟାନେଜର (ଇନୋଭେସନ୍ ଆଣ୍ଡ ଏଏମ୍ପି, ଏନ୍ଟରପି୍ରନୁ୍ୟଅରସିପ୍) ଶ୍ରୀ ରାଜୀବ କୁମାର, ଅଟଳ ଇନୋବେସନ୍ ମିଶନ୍ର ବିସ୍ତୃତ ଲକ୍ଷ୍ୟ ସମ୍ପର୍କରେ ଅଭିମତ ରଖିଥିଲେ ।
୨୦୨୨ ମସିହାରେ ଏଆଇସି –ସୋଆ ଫାଉଣ୍ଡେସନ୍ର ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରଫେସର ଗୋ÷ତମ ରଥ, ଡକ୍ଟର ମନୀଷା ଆଚାର୍ଯ୍ୟ, ପ୍ରଫେସର ନରେଶ ସାହୁ, ପ୍ରଫେସର ରେଣୁ ଶର୍ମା, ସ୍କିଲ ଡେଭେଲପ୍ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସର ଡିଜିଏମ୍ ଶ୍ରୀ ଅଶୋକ ନାୟକ ଏବଂ ବିଶ୍ୱବିଦ୍ୟାଳୟର ନେତୃବର୍ଗଙ୍କର ଉତ୍ସର୍ଗୀକୃତ ଅବଦାନ ରହିଛି । ସେମାନଙ୍କର ପ୍ରଚେଷ୍ଟା ଯୋଗୁଁ ସରକାରୀ ସ୍ତରରେ ୧୦ କୋଟି ଟଙ୍କାର ଅନୁଦାନ ମିଳିପାରିଛି ।
ଏଆଇସି-ସୋଆ ଫାଉଣ୍ଡେସନ୍ ପ୍ରତିଷ୍ଠା ହେବା ଫଳରେ ସୋଆ ବିଶ୍ୱବିଦ୍ୟାଳୟ ବର୍ତମାନ ଓଡ଼ିଶା ସମେତ ଭାରତର କୋଣ ଅନୁକୋଣରେ ନବୀକରଣକୁ ପ୍ରୋତ୍ସାହିତ କରିବା ସହ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ସଶକ୍ତ କରି ନୂତନ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିପାରିବ ଯାହା ଦ୍ୱାରା ଦେଶ ଆତ୍ମନିର୍ଭର ଭାରତ ରାସ୍ତାରେ ଆଗଭର ହୋଇପାରିବ ।




