
-ପାରାଦୀପ ସମେତ ଏରସମା, କୁଜଙ୍ଗ ଓ ଭୁବନେଶ୍ୱରରେ ଚଢ଼ଉ
-ଲୋକାୟୁକ୍ତ ଓ ଇଡିରେ ଅଭିଯୋଗ ପରେ ସିବିଆଇ ରେଡ୍
ପାରାଦୀପ: ପାରାଦୀପ ବନ୍ଦରର ଟ୍ରାଫିକ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଥିବା ସୂଚନା ମିଳିଛି । ସମ୍ପୃକ୍ତ ଅଧିକାରୀଙ୍କ ପାରାଦୀପ ସ୍ଥିତ ବନ୍ଦର ସରକାରୀ କ୍ୱାର୍ଟର ଓ ତାଙ୍କ ଦ୍ୱାରା ପରିଚାଳିତ ଏକ ନାଟ୍ୟ ଅନୁଷ୍ଠାନର ଅଫିସ ଗୃହରେ ମଧ୍ୟ ଚଢ଼ଉ କରାଯାଇଛି । ସିବିଆଇର ଦୁଇଟି ଟିମ୍ ପାରାଦୀପରେ ଚଢଉ କରିଥିବା ବେଳେ ଭୁବନେଶ୍ୱର ଓ ପୁରୀରେ ଥିବା ତାଙ୍କ ବାସଭବନରେ ମଧ୍ୟ ଅନ୍ୟ ଏକ ଟିମ୍ ଚଢ଼ଉ କରିଥିବା ଜଣାପଡ଼ିଛି । ଏଥିସହିତ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଓ ଏରସମା ତହସିଲ ଅଧୀନରେ ତାଙ୍କର ଥିବା ସମ୍ପତ୍ତିର ମଧ୍ୟ ଯାଞ୍ଚ୍ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ବନ୍ଦର ଉଚ୍ଚ ପଦସ୍ଥ ଧିକାରୀଙ୍କ ବିରୋଧରେ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସମ୍ପର୍କରେ ଅଭିଯୋଗ କରାଯାଇଥିଲା । ଉଭୟ ବିଭାଗର ନିଦେ୍ର୍ଧଶରେ ସିବିଆଇ ଆଜି ଏକକାଳୀନ ତାଙ୍କର ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ଏହି ଚଢ଼ଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇକୁ ମିଳିଥିବା ଜଣାପଡ଼ିଛି । ତେବେ ଏନେଇ ସମ୍ପୃକ୍ତ ଅଧିକାରୀ କିମ୍ବା ସିବିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।






