ବିଜେଡ଼ିରେ ସୁଜାତାଙ୍କ ଏଣ୍ଟ୍ରି ଦଳକୁ ହେବ ସହାୟକ ନା ବୋଝ ?

ନିକଟରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର (ବିଜେଡ଼ି) ସଦସ୍ୟତା ଗ୍ରହଣ କରିଛନ୍ତି । ଗତ ୨୫ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ବିଧିବଦ୍ଧ ଭାବରେ ଦଳରେ ମିଶାଇଥିଲେ । ଦଳରେ ମିଶାଇ ନବୀନ କହିଥିଲେ ଯେ ଯେ ସୁଜାତା ଦଳର ସାଧାରଣ ସଦସ୍ୟ ଭାବରେ କାର୍ଯ୍ୟ କରିବେ । ତାଙ୍କର ବିଜେଡ଼ିରେ ଯୋଗଦାନ ଖାସ୍ କରି ମହିଳାମାନଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ ହେବ ।
ମିଶ୍ରଣ ପ୍ରକ୍ରିୟା ସମୟରେ ନବୀନ ସୁଜାତାଙ୍କୁ ‘ସୁଜାତା ରାଉତ’ ବୋଲି କହିଥିଲେ । ତାଙ୍କ ନାମରେ କାର୍ତ୍ତିକେୟନ ପାଣ୍ଡିଆନ୍ ଯୋଡ଼ି ନଥିଲେ । ଅଳ୍ପ କହି ଅନେକ କିଛି ସଙ୍କେତ ଦେବାରେ ଓସ୍ତାଦ୍ ନବୀନଙ୍କର ଏହା ଏକ ସୁଚିନ୍ତିତ ରଣନୀତି । ଯେହେତୁ ଓଡ଼ିଶାର ଲୋକ ଭୈରବ କାର୍ତ୍ତିକେୟନ ପ।ଣ୍ଡିଆନ୍‌ଙ୍କ ସହିତ ସୁଜାତାଙ୍କୁ ତାଙ୍କର ଧର୍ମପତ୍ନୀ ଭାବରେ ଦେଖିଆସିଛନ୍ତି, ସେମାନେ ତାଙ୍କୁ (ଶ୍ରୀମତୀ ପାଣ୍ଡିଆନଙ୍କୁ) ରାଜନୈତିକ ପ୍ରକ୍ରିିୟାରେ ସେହିଭଳି ନଦେଖନ୍ତୁ ବୋଲି ନବୀନ ଏକ ଚେଷ୍ଟା କରିଛନ୍ତି । କିନ୍ତୁ ଏ କଥା ସତ୍ୟ ଯେ ନବୀନଙ୍କର ପ୍ରତ୍ୟାଶା ଅନୁସାରେ ଲୋକ ସେହିଭଳି ସୁଜାତାଙ୍କୁ ଭୈରବ ପାଣ୍ଡିଆନଙ୍କ ବ୍ୟତୀତ ଦେଖିବାର ସମ୍ଭାବନା କ୍ଷୀଣ ।

ଯେତେବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ନବୀନଙ୍କ ବ୍ୟକ୍ତିଗତ ସଚିବ ଏବଂ ପରେ ୫-ଟି ସେକ୍ରେଟାରୀ ଭାବରେ କାର୍ଯ୍ୟ କରୁଥିଲେ, ସେହି ସମୟରେ ସୁଜାତା ‘ମିଶନ ଶକ୍ତି’ ବିଭାଗର ସଚିବ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ । ଜଣେ ଶାସନର ଡୋରୀ ନିଜ ହାତରେ ରଖିଥିବା ବେଳେ ଅନ୍ୟ ଜଣେ ମହିଳା ଭୋଟ୍‌ର ଧୃବୀକରଣ କାର୍ଯ୍ୟରେ ବ୍ୟସ୍ତ ଥିଲେ । ନବୀନ ଓ ପାଣ୍ଡିଆନ୍ ଦମ୍ପତିଙ୍କ କାର୍ଯ୍ୟକଳାପ ବିଜେଡ଼ିକୁ ଏକ ଫାମିଲି ପାର୍ଟିରେ ପରିଣତ କରିଦେଇଥିଲା । ସେମାନଙ୍କର ସାମଗ୍ରୀକ କାର୍ଯ୍ୟକଳାପ ଧିରେଧିରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିଲା ଏବଂ ଏହା ଶେଷରେ ଏକ ମହାଅସନ୍ତୋଷରେ ପରିଣତ ହୋଇ ବିଜେଡ଼ିର ପତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା ।

ଏବେ ଦେଖିବା ଜଣେ ପ୍ରଶାସନିକ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିବା ସୁଜାତା ରାଜନୀତିରେ ସଫଳ ହେବେ କି ନାହିଁର ସମ୍ଭାବନା। ରାଜନୀତିରେ ପ୍ରଶାସନିକ ଅଧିକାରୀଙ୍କ ସଫଳତା ବା ବିଫଳତା ଉକ୍ତ ବ୍ୟକ୍ତିର ସାଧାରଣ ଜନତାଙ୍କ ସହିତ ମିଶିବା ଶୈଳୀ ଉପରେ ନିର୍ଭର କରେ । ଯେଉଁ ବ୍ୟକ୍ତି ଯେତିକି ଭଲ ଭାବରେ ମିଶିପାରନ୍ତି, ସେହି ହିସାବରେ ତାଙ୍କର ଗ୍ରହଣୀୟତା ବୃଦ୍ଧି ପାଇଥାଏ । ଅପରାଜିତା ଷଡ଼ଙ୍ଗୀ ଲୋକମାନଙ୍କ ସହିତ ଆନ୍ତରିକତା ସହିତ ମିଶିବା ଶୈଳୀ ଯୋଗୁ ସେ ଭୁବନେଶ୍ୱର ଭଳି ମର୍ଯ୍ୟାଦାସମ୍ପନ୍ନ ଲୋକସଭା ମଣ୍ଡଳୀରୁ ଦୁଇଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇପାରିଛନ୍ତି ।

ଅପରନ୍ତୁ ପୂର୍ବତନ ମୁମ୍ବାଇ ପୁଲିସ୍ କମିଶନର ଅରୂପ ପଟ୍ଟନାୟକ ସେହି ସଫଳତା ପାଇପାରିନାହାନ୍ତି । ପ୍ୟାରୀମୋହନ ମହାପାତ୍ର ରାଜ୍ୟସଭାକୁ ଗଲେ ସତ କିନ୍ତୁ ସେ କେବେ ନିଜେ ସିଧାସଳଖ ନିର୍ବାଚନୀ ସଫଳତା ପାଇବା ପାଇଁ ସାହସ ଜୁଟାଇ ପାରିନଥିଲେ । ଯତୀଶ ମହାନ୍ତିଙ୍କ ‘ସମୃଦ୍ଧ ଓଡ଼ିଶା’ ମଧ୍ୟ ସେହିଭଳି ସଫଳତା ପାଇପାରିଲା ନାହିଁ । ଅମର ପଟ୍ଟନାୟକ ରାଜ୍ୟସଭା ସଦସ୍ୟ ଭାବରେ ରହିବା ପାଇଁ ଶ୍ରେୟ ମଣିଲେ ।

ସୁଜାତା ସାଧାରଣ ବା ସିମ୍ପଲ୍ ସଦସ୍ୟ ଭାବରେ ଯୋଗଦେଲେ ସତ, – କିନ୍ତୁ ଯେଉଁଭଳି ଭାବରେ ତାଙ୍କୁ ଅନ୍ୟ ନେତା ବା ନେତ୍ରୀମାନେ ଦେଖୁଛନ୍ତି , ସେଥିରୁ ଏହା ସ୍ପଷ୍ଟ ଅନୁମିତ ହେଉଛି ଯେ ସେ ବିଜେଡ଼ି ଦଳକୁ ପରିଚାଳନା କରିବା ପାଇଁ ନବୀନ ପଟ୍ଟନାୟକଙ୍କ ଠାରୁ ସ୍ୱତନ୍ତ୍ର ତଥା ଅସାଧାରଣ କ୍ଷମତାପ୍ରାପ୍ତ ହୋଇଛନ୍ତି । ସେ ଏକ ପ୍ରକାର ବିଜେଡ଼ିର ନୂଆ ଚିଫ୍ ଏକ୍‌ଜିକ୍ୟୁଟିଭ ଅଫିସର ବା ସିଇଓ ।

ଏକଦା ପ୍ୟାରୀମୋହନ ମହାପାତ୍ର ଓ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ବିଜେଡ଼ିର ଯେଉଁଭଳି ଭାବେରେ ସର୍ବମୟ ପରିଚାଳକ ଥିଲେ, ବର୍ତ୍ତମାନ ସୁଜାତା ସେହି ଦାୟିତ୍ୱରେ ରହିବେ ବୋଲି ନବୀନ ଦଳର ନେତା ଓ କର୍ମୀମାନଙ୍କୁ ବାର୍ତ୍ତା ଦେଇସାରିଛନ୍ତି । ତାଙ୍କର ଏହି ସଙ୍କେତ ଯେଉଁମାନେ ସକାରାତ୍ମକ ଭାବେ ନେଇପାରିବେ, ସେମାନେ ଦଳରେ ରହିବେ ବା ନିଜ ବାଟ କାଟି ଯାଇପାରନ୍ତି ବୋଲି ସେ ଇସାରା ଦେଇସାରିଛନ୍ତି ।
ନବୀନ ସବୁବେଳେ ନୂଆ ଜେନେରେସନ ଉପରେ ଗୁରୁତ୍ୱ ପ୍ରଦାନ କରିଆସିଥାନ୍ତି । ବିଜୁ ଜନତା ଦଳ ଗଠନ ପରେ ସେ ଭଲଭାବରେ ଜାଣିପାଇଥିଲେ ଯେ ତାଙ୍କର ସମସମାୟିକ ବ୍ୟକ୍ତିମାନେ ଯଦି ଦଳରେ ରହିବେ, ତେବେ ସେମାନଙ୍କର ମହତ୍ତ୍ୱାକାଂକ୍ଷା ତାଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ସେ ସେମାନଙ୍କୁ ପ୍ରଥମେ ଦଳରୁ ବିଦା କଲେ । ଏହାପରେ ସେ ଆଉ ଦୁଇଟି ଜେନେରସନ ନେତା ତିଆରି କରି ସେମାନଙ୍କ ମାଧ୍ୟମରେ ଦଳ ଚଳାଇଆସିଛନ୍ତି । ଯେଉଁ ପୁରୁଣା ନେତାମାନେ ପ୍ୟାରୀମୋହନ ମହାପାତ୍ର, ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଆଦି କ୍ଷମତାପ୍ରାପ୍ତ ଅଫିସରମାନଙ୍କ ସହିତ ରହିବା ସହିତ ନୂଆ ନେତାମାନଙ୍କ ସହିତ ସାଲିସ୍ କରି ଚାଲିପାରିଲେ, ସେମାନେ ଦଳରେ ତିଷ୍ଠିଲେ ।

ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରିନାରାୟଣ ପାତ୍ର ଓ ଭୂପିନ୍ଦର ସିଂହ ପ୍ରଭୃତି ନେତାମାନେ ଏହି ଶ୍ରେଣୀରେ ଆସୁଛନ୍ତି । ହେଲେ ଏହି ନେତାମାନେ ଏବେ ସୁଜାତାଙ୍କ ବିଜେଡ଼ି ପ୍ରବେଶ ନେଇ ଏତେଟା ଖୁସି ଥିବା ପରି ଲାଗୁନାହିଁ । ନବୀନଙ୍କ ପିତା ବିଜୁ ପଟ୍ଟନାୟକଙ୍କ ସହିତ ଏମାନେ କାମ କରିଥିଲେ । ଏହପରେ ତାଙ୍କ ସହିତ କାମ କଲେ । ପରିସ୍ଥିତିରେ ପଡ଼ି ପ୍ୟାରୀ ଓ ପାଣ୍ଡିଆନ୍‌ଙ୍କ ନେତୃତ୍ୱ ଓ କତ୍ତୃତ୍ୱକୁ ସ୍ୱୀକାର କଲେ ।

ଏବେ ପାଣ୍ଡିଆନ୍‌ଙ୍କ ପତ୍ନୀଙ୍କ ଅଧିନରେ କାମ କରିବା ଏମାନଙ୍କ ପାଇଁ ଏତେ ସହଜ ମନେହେଉ ନାହିଁ । ତେଣୁ ସେମାନଙ୍କ ମଧ୍ୟରୁ ଅନେକ ଗତ ୨୫ ତାରିଖ ଦିନ ମିଶ୍ରଣ ପର୍ବରେ ଅନୁପସ୍ଥିତ ରହିଲେ । ଆଗାମୀ ଦିନରେ ଏହି ନେତାମାନେ ଯଦି ଦଳର ଅଲଗା ଲାଗି ଚେଷ୍ଟା କରନ୍ତି, ତେବେ ସେଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ।

ପାଣ୍ଡିଆନଙ୍କ ଲାଗି ‘କ୍ରୀତଦାସ’ ଓ “ଟ୍ରାଫିକ୍ କନେଷ୍ଟବଲ’ ଭଳି ସମାଲୋଚନାର ବୋଝ ମୁଣ୍ଡାଇଥିବା ପ୍ରଣବ ପ୍ରକାଶ ଦାସ ସୁଜାତା ବିଜେଡ଼ିରେ ମିଶିବାର ଗୋଟିଏ ଦିନ ପରେ ତାଙ୍କୁ ଭେଟିଥିଲେ । ଏହାକୁ ନେଇ ଅନେକ କିଛି ଆଲୋଚନା ହେଉଛି । କିଏ କହୁଛନ୍ତି ପାଣ୍ଡିଆନଙ୍କ ଅଧିନରେ କାମ କରିଥିବା ପ୍ରଣବ ଏବେ ସୁଜାତାଙ୍କ ଅଧିନରେ ଦଳ ପାଇଁ କାମ କରିବେ । କିନ୍ତୁ ସେମାନଙ୍କର ମିଳିତ ଫଟୋରେ ପ୍ରଣବ ଏତେ ସହଜ ଦିଶୁ ନଥିଲେ । ଏବେ ଦେଖିବାର କଥା ଯାଜପୁରର ଏହି ନେତା ତଥା ସ୍ୱାଭିମାନୀ ଅଶୋକ ଦାସଙ୍କ ପୁତ୍ର ସୁଜାତାଙ୍କୁ ନିଜର ନୂତନ ମୁନିବ ଭାବରେ ସେବା ପ୍ରଦାନ କରୁଛନ୍ତି ନା ବିଜେଡ଼ି ପରିତ୍ୟାଗ କରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାରେ ସକ୍ଷମ ହେଉଛନ୍ତି ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ