
ରାୟଗଡ଼ା : ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ କ୍ରାଇମବ୍ରାଞ୍ଚ ଚଢାଉ । ରାୟଗଡ଼ା ସହର ରାଣିଗୁଡ଼ା ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ୍ କରାଯାଇଛି । ଟ୍ରକ୍ ମାଲିକ ସଂଘର ୮୦ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ଏହି ଚଢାଉ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୨୧ ଜଣିଆ ଟିମ୍ ଛାପା ମାରିଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୫ ଜଣ ଲେଖାଏଁ ଡିଏସପି, ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ଅଛନ୍ତି । ଇଓଡବ୍ଲୁର ଏକ ଟିମ୍ ତଦନ୍ତ ପାଇଁ ଗତକାଲି ରାୟଗଡ଼ା ଆସିଥିଲେ । ଏହି ଟିମ୍ ୨ ଦିନ ହେଲା ରାୟଗଡାରେ ରହି ଆର୍ଥିକ ଅନିୟମିତତା ଅଭିଯୋଗର ଛାନଭିନ କରିବା ପରେ ଆଜି ଚଢ଼ାଉ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଟ୍ରକ ମାଲିକ ସଂଘର ସଭାପତି ୱାଇ ଭେଙ୍କଟେଶ୍ୱର ରାଓ (ମୃତ) ୮୦ କୋଟି ଟଙ୍କା ହଡପ ଅଭିଯୋଗ ଆଣିଥିଲେ । ପୂର୍ବତନ ସାଂସଦ ଭାସ୍କର ରାଓ ଓ ଅନ୍ୟମାନଙ୍କ ବିରୋଧରେ ଟ୍ରକ୍ ମାଲିକ ସଙ୍ଘର ସ୍ବର୍ଗତ ଭେଙ୍କେଟେଶ୍ବର ରାଓ ରାୟଗଡା ପୁଲିସରେ ଏହି ଅଭିଯୋଗ କରିଥିଲେ । ରାୟଗଡ଼ା ପୁଲିସ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚର ୨୧ ଜଣିଆ ଟିମ୍ ରାୟଗଡ଼ା ଆସି ତଦନ୍ତ କରୁଥିବା ଜଣାପଡିଛି । ତେବେ ଭାସ୍କର ରାଓ ବର୍ତ୍ତମାନ ରାୟଗଡ଼ାରେ ଅନୁପସ୍ଥିତ ଥିବା ଜଣାପଡିଛି । ଇଓଡବ୍ଲୁ ଟିମ୍ ଶ୍ରୀ ରାଓଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ରହି କିଛି ସହାୟକଙ୍କୁ ପଚରାଉଚରା କରୁଛନ୍ତି । ଅଧିକ ତଥ୍ୟ ଦେବାକୁ ଅଧିକାରୀମାନେ ମନା କରିଛନ୍ତି ।





