
ଭୁବନେଶ୍ୱର: ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । ଆଇଏମ୍ଡି ଜିଏଫ୍ଏସ୍ ମଡେଲ କହୁଛି, ୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏନ୍ସିଇପି-ଜିଏଫ୍ଏସ୍ ମଡେଲ ମଧ୍ୟ ଏହି ଆକଳନକୁ ଦୋହରାଇଛି । ତେବେ ୧୦ ତାରିଖ ବେଳକୁ ଏହି ଲଘୁଚାପ ହେବ ବୋଲ ଭାରତ ଫୋରକାଷ୍ଟ ସିଷ୍ଟମ୍ ଓ ଏନସିୟୁଏମ୍ ସେମାନଙ୍କ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି ।ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯ତାରିଖରୁ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ନିଜ ବିସ୍ତାରିତ ଆକଳନରେ ଦର୍ଶାଇଛି । ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି ।
ସେପଟେ ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । ସେପଟେ ଉତ୍ତର ପୂର୍ବ ଆରବସାଗରରେ ବାତ୍ୟା ‘ଶକ୍ତି’ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବ ରହିବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।




