‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଆଜି ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରାର ଶୁଭ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ – ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ତୀର୍ଥଯାତ୍ରା ସାରା ଦେଶରେ ଆୟୋଜିତ ହେଉଥିବା ମହାନ ରାଷ୍ଟ୍ରୀୟ ସଂକଳ୍ପ ‘ସୋମନାଥ ସ୍ୱାଭିମାନ ପର୍ବ’ର ଏକ ଗୌରବମୟ ଅଂଶ ଅଟେ, ଯାହା ଭାରତୀୟ ଇତିହାସର ଦୁଇଟି ପ୍ରମୁଖ ମାଇଲଖୁଣ୍ଟକୁ ସ୍ମରଣ କରାଉଛି। ପ୍ରଥମଟି ହେଉଛି, ବର୍ଷ ୧୦୨୬ ମସିହାରେ ମହମ୍ମଦ ଗଜନଭୀଙ୍କ ଦ୍ୱାରା ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ବର୍ବର ଆକ୍ରମଣର ୧୦୦୦ ବର୍ଷ ଏବଂ ଦ୍ୱିତୀୟଟି ହେଉଛି, ସ୍ୱାଧୀନତା ପରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରେରଣାରେ ଏହି ଭବ୍ୟ ମନ୍ଦିରର ପୁନଃପ୍ରତିଷ୍ଠାର ୭୫ତମ ପ୍ଲାଟିନମ୍ ଜୁବିଲି । ଏହି ବର୍ଷବ୍ୟାପୀ ସାଂସ୍କୃତିକ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଏକ ବ୍ୟାପକ ଗଣ-ତୀର୍ଥଯାତ୍ରାର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଶାର ଏହି ସ୍ୱତନ୍ତ୍ର ଟ୍ରେନ ଭଳି ଲକ୍ଷ୍ନୌରୁ ୧ ହଜାର ୮ ଜଣ ଏବଂ ଦିଲ୍ଲୀରୁ ପ୍ରାୟ ୧୩୦୦ ଜଣ ଶ୍ରଦ୍ଧାଳୁ ମଧ୍ୟ ପବିତ୍ର ପ୍ରଭାସ ପାଟଣ ଅଭିମୁଖେ ବାହାରିଛନ୍ତି। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ‘ବିକାଶ ଭି, ବିରାସତ ଭି’ ର ମନ୍ତ୍ର ଆଜି ସୋମନାଥଠାରେ ଅତ୍ୟାଧୁନିକ ଭବ୍ୟ ପ୍ରଦର୍ଶନୀ ଶାଳା, ମ୍ୟୁଜିୟମ, ସମୁଦ୍ର ଦର୍ଶନ ପଥ ଏବଂ PRASHAD ଯୋଜନା ଜରିଆରେ ବିଶ୍ୱସ୍ତରୀୟ ଯାତ୍ରୀ ଭିତ୍ତିଭୂମିର ବିକାଶ କରି ପ୍ରମାଣିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଓଡ଼ିଶା ଏବଂ ସୋମନାଥ ମଧ୍ୟରେ ଏକ ଅତୁଟ ଆଧ୍ୟାତ୍ମିକ ସେତୁ ସ୍ଥାପନ କରିବା ପାଇଁ ଏକାମ୍ର କ୍ଷେତ୍ରର ବିନ୍ଦୁସାଗରର ପବିତ୍ର ଜଳ ଏବଂ ପ୍ରାଚୀନ ଶୈବ ପରମ୍ପରାର ଜୀବନ୍ତ ପ୍ରତୀକ କେଦାରଗୌରୀ ମନ୍ଦିରର ପବିତ୍ର ମାଟି ଏହି ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ପ୍ରଭୁ ସୋମନାଥଙ୍କ ଚରଣରେ ଅର୍ପଣ ପାଇଁ ପଠାଯାଉଛି। ଏହି ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ “ଓଁ ନମଃ ଶିବାୟ” ପୁସ୍ତିକା ପ୍ରଦାନ କରାଯାଇଛି। ସୋମନାଥ ପୀଠରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ସହ ଭବ୍ୟ ଆଳତି, ପବିତ୍ର ରୁଦ୍ରାଭିଷେକ, ଅଖଣ୍ଡ ଓଁକାର ଜପ ଏବଂ ମନ୍ଦିରର ସ୍ୱର୍ଣ୍ଣିମ ଇତିହାସକୁ ଜୀବନ୍ତ କରୁଥିବା ଆଧୁନିକ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଏକ ଦିବ୍ୟ ଅନୁଭୂତିର ସାକ୍ଷୀ ହେବେ।

ଏହି ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ଆମେ ସୋମନାଥ ସ୍ଵାଭିମାନ ଯାତ୍ରାରେ ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟର କିଛି ପବିତ୍ର ନିଦର୍ଶନ ମଧ୍ୟ ସୋମନାଥକୁ ପଠାଉଛୁ। ଏକାମ୍ର କ୍ଷେତ୍ରର ହୃଦୟସ୍ଥଳୀ ପବିତ୍ର ବିନ୍ଦୁସାଗରର ଜଳ ଆଜି ସୋମନାଥ ଧାମକୁ ଯାଉଛି। ଏହି ପବିତ୍ର ଜଳ ଓଡ଼ିଶାର ଭକ୍ତିର ବାର୍ତ୍ତା ନେଇ ସୋମନାଥରେ ପହଞ୍ଚିବ। ଏହି ଶୁଭାରମ୍ଭ ଉତ୍ସବରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଶ୍ରୀ ବାବୁ ସିଂ ଉପସ୍ଥିତ ଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିଲେ ।

  • Related Posts

    କ୍ରୁଜ ମିସାଇଲ- LRLACMର ସଫଳ ପରୀକ୍ଷଣ

    ଚାନ୍ଦିପୁର: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା । ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା ଦୂରଗାମୀ ଆକ୍ରମଣାତ୍ମକ କ୍ରୁଜ ମିସାଇଲ- LRLACM ର ସଫଳ ପରୀକ୍ଷଣ । ଗତକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ବୀପରୁ ଏହି କ୍ଷେପଣସାସ୍ତ୍ରର…

    Continue reading
    ବନ୍ଧା ହେଲେ ରସିକିଆ ପ୍ରଫେସର

    ରାଜଧାନୀରୁ ବନ୍ଧା ହେଲେ ରସିକିଆ ପ୍ରଫେସର । ଛାତ୍ରୀଙ୍କୁ ସେକ୍ସୁଆଲ ଫେଭର ମାଗିବା ମହଙ୍ଗା ପଡିଲା। ଅଭିଯୁକ୍ତ ପ୍ରଫେସର ହେଲେ ଅଜିତ ଗୁପ୍ତା । ସେ ଜଣେ ଭେଟେରେନାରି ଛାତ୍ରୀଙ୍କୁ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ