
ଭୁବନେଶ୍ୱର:୨୦୨୪, ଜୁନ୍ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ ଏ ସରକାର କେମିତି ଚାଲିବ? କିନ୍ତୁ, ପ୍ରଥମ ଓଭର ପ୍ରଥମ ବଲ୍ରୁ ମୋହନ ମାରିଲେ ଛକା । ଶପଥ ଗ୍ରହଣରୁ କ୍ୟାବିନେଟ ଟିମ୍ର ଗାଡ଼ି ସିଧା ଛୁଟିଲା ଲୋକସେବା ଭବନକୁ । ଶୁଭେଚ୍ଛା ଫୁଲଗୁଚ୍ଛ ଗ୍ରହଣ ପୂର୍ବରୁ ପ୍ରତିଶ୍ରୁତି ପୂରଣର ପର୍ବ ଆରମ୍ଭ କରିଦେଲେ ମୋହନ ସରକାର ।
ଓଡ଼ିଆ ଅସ୍ମିତାକୁ ବନ୍ଦେ କହି ଖୋଲିଦେଲେ ଶ୍ରୀମନ୍ଦିରର ଚାରିଦ୍ୱାର । ଘୋଷଣା ହେଲା ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି । ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରି ଚାଷୀ ଅଣ୍ଟାରେ ଭରିଲେ ବଳ । ନାରୀ ଶକ୍ତିକୁ ସଶକ୍ତ କରିବାକୁ ଐତିହାସିକ ସୁଭଦ୍ରା ଯୋଜନାର ହେଲା ଶୁଭାରମ୍ଭ । ୨୪ ଘଣ୍ଟାରେ ମୋହନ ସରକାର ଦେଖାଇଥିଲେ ନିଜ ଦମ୍ଭ, ଦକ୍ଷ ନେତୃତ୍ୱ ଓ ଓଡ଼ିଶା ପାଇଁ କିଛି ବଡ଼ କରିବାର ମନୋବୃତ୍ତି ଏବଂ ସଂକଳ୍ପ । ସବୁ ଆକଳନକୁ ଟପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଗୋଟିଏ ପରେ ଗୋଟିଏ ସଫଳତା ଲେଖି ଚାଲିଲା । ୨୪ ବର୍ଷର ସରକାରଙ୍କ ଶଗଡ଼ ଗୁଳାରୁ ବାହାରକୁ ଯାଇ ମୋହନ ଖୋଲିଦେଲେ ଜନତାଙ୍କ ପାଇଁ ଦ୍ୱାର । ଜନତା-ସରକାର ମଝିରୁ ହଟାଇ ଦେଲେ ପାଚେରି। ସମାଜର ଶେଷ ଧାଡ଼ିରେ ଥିବା ଲୋକ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରୀ ଜଣାଇ ପାରୁଛି । କେବଳ ଗୁହାରୀ ନୁହେଁ, ସମସ୍ୟାର ତତ୍କାଳ ସମାଧାନ ବି କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏମିତି ମୁଖ୍ୟମନ୍ତ୍ରୀଙ୍କୁ ପାଇ ଲୋକେ କହୁଛନ୍ତି, ଆମ ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ… ।
ଡବଲ୍ ଇଞ୍ଜିନର ବଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ଗମନାଗମନ, ଗାଁର ବିକାଶ, ସହରୀ ଭିତ୍ତିଭୂମି ସବୁ ଦ୍ରୁତ ବେଗରେ ଧାଉଁଛି । ନିବେଶର ସୁଅ ମୁହାଁଇଛି ଓଡ଼ିଶାକୁ । ଆଇଟିରୁ ନେଇ ଏଆଇ ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ବୈପ୍ଳବିକ ଅଭିବୃଦ୍ଧି । ସବୁଠାରୁ ବଡ଼ କଥା, ଯୁବବର୍ଗଙ୍କ ପାଇଁ ଖୋଲିଛି ନିଯୁକ୍ତିର ଦ୍ୱାର । ଦୁଇ ବର୍ଷ ଭିତରେ ବିଭିନ୍ନ ବିଭାଗରେ ହଜାର ହଜାର ସରକାରୀ ପଦ ପୂରଣ ହୋଇଛି । ବୃତ୍ତିଗତ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି କରି ସବ୍କା ସାଥ୍ ସବ୍କା ବିକାଶର ନାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶାସନ ପ୍ରଶାସନରେ ବାବୁଗିରିର ଅନ୍ତ ଘଟିଛି । ଦୁର୍ନୀତି ବିରୋଧରେ ଜାରି ରହିଛି କଠୋର ଅଭିଯାନ । ଅନେକ ନୂଆ ଯୋଜନା ଯୋଡ଼ି ହୋଇଛି ରାଜ୍ୟର ପ୍ରଗତିରେ । ପ୍ରମାଣିତ ହୋଇଛି-ପୂର୍ବ ସରକାର ଯାହା ୨୪ ବର୍ଷରେ କରିପାରିନଥିଲେ, ତାହାକୁ ୨୪ ମାସରେ କରି ଦେଖାଇଛନ୍ତି ମୋହନ ସରକାର ।


