ବିଧାୟକ ଭତ୍ତା ନେବିନି: ଗୌତମ ବୁଦ୍ଧ ଦାସ

ବାଲେଶ୍ବର: ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତାକୁ ନେଇ ଏବେ ସବୁଠି ଚିନ୍ତା । କେଉଁଠି ଭତ୍ତା ଦାବିରେ ଧାରଣା ଦିଅଗଲାଣି ତ କେଉଁଠି ପୁଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଗଲାଣି । ତିନିମାସ ହେଲାଣି ଭତ୍ତା ମିଳୁ ନଥିବାରୁ ବୃଦ୍ଧବୃଦ୍ଧାମାନେ ସେମାନଙ୍କ ଚଳଣିରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଯେଉଁମାନେ ଆକାଉଣ୍ଟ ଜରିଆରେ ଭତ୍ତା ପାଉଥିଲେ ସେମାନଙ୍କର ଏମିତି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଶୀଘ୍ର ସମାଧାନ ନେଇ ମଧ୍ୟ ପ୍ରତିଶ୍ରୁତି ମିଳୁଛି । ଯେପର୍ଯ୍ୟନ୍ତ, ବୃଦ୍ଧବୃଦ୍ଧାମାନଙ୍କୁ ଭତ୍ତା ମିଳିନାହିଁ, ସେପର୍ଯ୍ୟନ୍ତ ନିଜ ବିଧାୟକ ଭତ୍ତା ନେବେ ନାହିଁ ବୋଲି କହିଛନ୍ତି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ । ଏନେଇ ବିଧାୟକ ଗୌତମ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ଅଛି ଯେ, ଆଜିକୁ ୩ ମାସ ହେଲା ରାଜ୍ୟର ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ସମାଜର ଅବହେଳିତ ବର୍ଗର ଲୋକ ମାସିକ ସାମାଜିକ ସୁରକ୍ଷା ଭତ୍ତା ପାଇନାହାନ୍ତି । ଫଳରେ ସେମାନେ ନାହିଁ ନଥିବା ଦୁର୍ଦ୍ଦଶା ଓ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଓଡ଼ିଶା ଇତିହାସର ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏଭଳି ବେଦନାଦାୟକ ପରିସ୍ଥିତି କେବେ ସୃଷ୍ଟି ହୋଇ ନ ଥିଲା । ଏହାକୁ କେବଳ ଏକ ବ୍ୟବସ୍ଥାଗତ ବା ଯାନ୍ତ୍ରିକ ତ୍ରୁଟି ଜନିତ ସମସ୍ୟା କହି ସରକାର କେତେଦିନ ଆଉ ନିରବରେ ବସିବେ । ଜୀବନରକ୍ଷାକାରୀ ଔଷଧ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ନାହିଁ ।

“ମୋ ନିର୍ବାଚନ ମଣ୍ଡଳୀର ଅନେକ ବୃଦ୍ଧବୃଦ୍ଧା ମୋ ପାଖକୁ ଆସି କାନ୍ଦୁଛନ୍ତି । ଜଣେ ବିଧାୟକ ଭାବେ ମୁଁ ସେମାନଙ୍କୁ ଭତ୍ତା କେବେ ମିଳିବ ବୋଲି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହିଁ । ଏହା ମୋତେ ବିଚଳିତ କରୁଛି । ଏଥିପାଇଁ ଏହି ବୃଦ୍ଧବୃଦ୍ଧା ଓ ଭିନ୍ନ‌କ୍ଷମମାନେ ତିନି ମାସ ହେଲା ଭତ୍ତା ଯନ୍ତ୍ରଣାରେ ଜର୍ଜରିତ ହେଉଥିବାବେଳେ ପ୍ରତିମାସ ବିଧାୟକ ଭତ୍ତା ନେବାକୁ ମୋର ବିବେକ ମୋତେ ବାଧା ଦେଉଛି । ସେମାନଙ୍କର ଏଭଳି ଦୁର୍ଦ୍ଦଶା ସମୟରେ ଏହା ଗ୍ରହଣ କରିବାର କୌଣସି ନୈତିକ ଅଧିକାର ମୋର ନାହିଁ ବୋଲି ମୁଁ ଅନୁଭବ କରୁଛି ।
ତେଣୁ ମୁଁ ଆପଣ (ମୁଖ୍ୟମନ୍ତ୍ରୀ)ଙ୍କ ନିକଟରେ ଅତ୍ୟନ୍ତ ବିନମ୍ରତାର ସହିତ ନିବେଦନ କରୁଛି ଯେ, ଯେଉଁ ପର୍ଯ୍ୟନ୍ତ ରାଜ୍ୟର ଏହି ୨୨ ଲକ୍ଷ ଅସହାୟ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଅସହାୟମାନଙ୍କୁ ସେମାନଙ୍କ ବକେୟା ଭତ୍ତା ପ୍ରଦାନ କରାଯାଇ ନାହିଁ, ସେପର୍ଯ୍ୟନ୍ତ ମୋର ବିଧାୟକ ଭତ୍ତା ମଧ୍ୟ ମୋ ଆକାଉଣ୍ଟକୁ ଦିଅନ୍ତୁ ନାହିଁ । କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି ଜଣେ ସମ୍ବେଦନଶୀଳ ଜନପ୍ରତିନିଧି ଭାବେ ମୁଁ ସ୍ୱେଚ୍ଛାକୃତ ଭାବେ ଏହି ନିଷ୍ପତି ନେଉଛି । ଆଶା କରୁଛି, ଆପଣଙ୍କ ସରକାର ଏଥିପ୍ରତି ସଚେତନ ହେବେ ଏବଂ ଏହି ସମସ୍ୟାର ତୁରନ୍ତ ସମାଧାନ କରିବେ” ବୋଲି ବିଧାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବିଧାୟକ ଗୌତମ ବୁଦ୍ଧ ଦାସ ଚର୍ଚ୍ଚାରେ ଥିବା ବେଳେ ସେ ରାଜ୍ୟ ଓ କେନ୍ଦ୍ର ସରକରାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ଭାବେ ଭତ୍ତା ଦେବାରେ ଅସମର୍ଥ ହୋଇଛନ୍ତି । ଲାଗୁଛି ତାଙ୍କ ପାଖରେ ଅର୍ଥ ନାହିଁ । ସରକାର ଦେବାଳିଆ ହୋଇଗଲେଣି । ଭତ୍ତା କାହିଁକି ଦେଇ ପାରୁନାହାଁନ୍ତି ସରକାର ଲୋକଙ୍କ ପାଖରେ ଠିକ ଭାବେ ପ୍ରକାଶ କରୁନାହାନ୍ତି । ସରକାର କହୁଛନ୍ତି ଯେ, ସଫ୍ଟୱେର ଉନ୍ନତି ଚାଲିଛି, ଲୋକଙ୍କୁ ଭତ୍ତା ଦିଆଯିବ । ସଫ୍ଟୱେର ଉନ୍ନତି ପାଇଁ କଣ ତିନିମାସ ଲାଗେ କି ? ଡିଜିଟାଲ ଇଣ୍ଡିଆ କଥା କୁହାଯାଉଥିବା ବେଳେ ଏମିତି କହିବା ବାହୁଲ୍ୟ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଶି ଭତ୍ତା ଦିଅନ୍ତି, ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନାରେ ତାଙ୍କ ଭତ୍ତା ଦେଇ ଦେଇଛନ୍ତି କିନ୍ତୁ ଯେଉଁ ୨୨ ଲକ୍ଷ ଲୋକ ରହିଗଲେ ଯେଉଁମାନେ କେନ୍ଦ୍ର ଓ ରାଜ୍ୟରୁ ମିଶିକି ପାଆନ୍ତି ତାଙ୍କୁ କେନ୍ଦ୍ର ଟଙ୍କା ଦେଇପାରୁନାହିଁ ।

ଦୁଇବର୍ଷର ସଫଳ ସରକାର ବୋଲି ଚିତ୍କାର କରୁଥିବା ବେଳେ ଏହି ଗୋଟିଏ କଥାରୁ ଜଣାପଡୁଛି ଯେ ସେମାନେ କେତେ ସଫଳ । ଯେଉଁ ସରକାର ୨୪ ମାସ ଭିତରେ ଯାହା ହେଇଛି ବୋଲି କହୁଛନ୍ତି ପ୍ରକୃତରେ ସେଇୟା ହୋଇଛି କି ? ୨୪ ମାସ ଭିତରେ ଦରଦାମ ବଢିଛି, ଆଇନ ଶୃଙ୍ଖଳା ବିଗିଡିଛି । ଯାହା ୨୪ ବର୍ଷ ଭିତରେ କେବେ ହୋଇନାହିଁ । ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି କହୁଛନ୍ତି କିନ୍ତୁ ଲୋକଙ୍କ ବିରୋଧରେ କାମ କରାଯାଉଛି ।

“ମୋର ଏକ ନମ୍ର ପ୍ରତିବାଦ, ମୁଁ ସରକାରଙ୍କୁ ଜଣାଇବାକୁ ଚାହୁଁଚି ଯେ, ଆପଣଙ୍କ ବିବେକ ମରିଯାଇଛି । ଯଦି ମଣିଷ ପଣିଆ ଥାଆନ୍ତା ତେବେ ଆପଣ ଯେଉଁଠୁ ହେଲେବି ଯେମିତି ହେଲେ ବି ଭତ୍ତା ପ୍ରଦାନ କରିଥାନ୍ତେ । ଯଦି ବ୍ୟାଙ୍କ ଆକାଉଣ୍ଟରେ ଅସୁବିଧା ଅଛି ତେବେ ହିତାଧିକାରୀଙ୍କୁ କ୍ୟାସ ଦିଅନ୍ତୁ । ମୋର ଭତ୍ତା ନ ନେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ, ମାତ୍ର ସେମାନଙ୍କ ବିବେକକୁ ଏହି କଥା ଆସୁ ଯେ, ଆମେ ଭତ୍ତା ପାଉଛୁ, ଗରିବ ଲୋକମାନେ ଭତ୍ତା ପାଇବେନି । ଲୋକମାନଙ୍କ ମନରେ ଆସୁଥିବ ଯେ, ନେତା ମନ୍ତ୍ରୀଙ୍କ ପାଇଁ ଆଇନ ଗୋଟେ ଆଉ ଆମ ପାଇଁ ଆଇନ ଗୋଟେ । ଯଦି ସରକାରଙ୍କ ମଣିଷ ପଣିଆ ଥିବ ତେବେ ସେମାନେ ତୁରନ୍ତ ଭତ୍ତା ପ୍ରଦାନ କରିବେ । ନ ହେଲେ ଆମେ ଜାଣିବୁ ଯେ ସରକାର ମାନସିକ ସ୍ତରରେ ଦେବାଳିଆ ହୋଇ ଯାଇଛନ୍ତି ।”

  • Related Posts

    ଆମ ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ…

    Continue reading
    ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ

    ଭୁବନେଶ୍ବର : ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛିନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଭାବେ ସେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ବିଜେଡିର ପ୍ରାଥମିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ