
ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି । ରଜ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିିଛି ।କେରଳମ୍ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ ବାୟୁ।
କିନ୍ତୁ, ବିଶେଷଜ୍ଞଙ୍କ ଆଶଙ୍କା ହେଲା, ମୌସୁମୀ ଆରମ୍ଭରେ ସେମିତି ପ୍ରଭାବୀ ରହିନପାରେ । ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ମୌସୁମୀକୁ ଶକ୍ତିଶାଳୀ କରିବାକୁ ଲଘୁଚାପ ସୃଷ୍ଟି ହେଲା ଭଳି ସମ୍ଭାବନା ଦେଖାଯାଉନି । ଏମିତି ସ୍ଥିତିରେ ମୌସୁମୀ ଆସିଲେ ବି ରାଜ୍ୟରେ ଏବେ ଗରମରୁ ବଡ଼ ଧରଣର ଆଶ୍ୱସ୍ତି ମିଳିବା ଆଶା କମ୍ ।
ଜୁନ୍ ୪ ତାରିଖରେ କେରଳମ୍ ଛୁଇଁ ଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ପହଞ୍ଚିଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି ଆଇଏମ୍ଡି ପକ୍ଷରୁ ପ୍ରଥମେ ଆକଳନ କରାଯାଇଥିଲା। କିନ୍ତୁ ପରେ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୪ ତାରିଖରେ କେରଳମ୍ ଛୁଇଁବ। ଆଉ ଆଇଏମ୍ଡିର ସେହି ଆକଳନ ଅନୁସାରେ ମୌସୁମୀ ବାୟୁ ଜୁନ୍ ୪ କେରଳମ୍ ଛୁଇଁଥିଲା।
ଶନିବାରଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ହେଲେ ୧୫ ତାରିଖ ପର୍ୟ୍ୟନ୍ତ କାଳବୈଶାଖୀ ହେବା ନେଇ ସୂଚନା ଦିଆଯାଇଥିବାବେଳେ ଶୁକ୍ରବାର ୧୧ ଜିଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏଥିସହ ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବା ନେଇ କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ ଜିଲାକୁ ଅରେଞ୍ଜ ଏବଂ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।


