
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅଧିକ ଘନୀଭୂତ ହୋଇ ରବିବାର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ତେବେ ବାତ୍ୟାର ଲ୍ୟାଣ୍ଡଫଲ ସ୍ଥାନ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆନ୍ଧ୍ରର ନେଲୁର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାିଛି ।
ଆକଳନ ଅନୁସାରେ, ବାତ୍ୟା ‘ଅକ୍ୱାନ’ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳକୁ ଅତିକ୍ରମ କରିବ । ଅତି ଭୀଷଣ ବାତ୍ୟା ଭାବେ ନେଲୁର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୨୦ରୁ ୧୩୦ କିମି ରହିବ । ବେଳେ ବେଳେ ଝଟକା ପବନର ବେଗ ୧୪୫ କିମି ରହିପାରେ । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆସନ୍ତା ୨୧ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ସମୁଦ୍ର ତଟ୍ଟବର୍ତ୍ତୀ ଜିଲାପାଳଙ୍କୁ ଚିଠି ଲେଖିଲେ SRC ।
ଆନ୍ଧ୍ରରେ ଏହା ଲ୍ୟାଣ୍ଡଫଲ କଲେ ମଧ୍ୟ ଓଡ଼ିଶା ଉପରେ ଏହାର ଆଶିଂକ ପ୍ରଭାବ ପଡିପାରେ । ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ପବନ ଲାଗି ରହିବ । ୧୮ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲାରେ ଝଡ଼ବର୍ଷା ସହ ୪୦ ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ୧୯ରୁ ରାଜ୍ୟରେ ବର୍ଷା ଓ ପବନର ପରିମାଣ ବଢ଼ିବା ସହ ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୫୦ ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି।






