
ଭୁବନେଶ୍ଵର: ଓଡ଼ିଶା ମୁହାଁ ବାତ୍ୟା । ଗୋପାଳପୁରର ସାମାନ୍ୟ ଉତ୍ତରରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ପରେ ପବନର ବେଗ ୭୦ରୁ ୮୦ କିମିକୁ ଖସିଯିବ । କିନ୍ତୁ ଓଡ଼ିଶାରେ ନିର୍ଧୂମ ବର୍ଷା ହେବ । କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ଯାଏ ଢାଳିପାରେ । ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି । ବାତ୍ୟା ଅକଭାନ୍ ଘଣ୍ଟା ପ୍ରତି ୧୨କିମି ବେଗରେ ଆଗକୁ ବଢୁଛି । ୧୯ ଓ ୨୦ରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ ପରେ ବାତ୍ୟା ତୀବ୍ର ଗତିରେ ଦୁର୍ବଳ ହୋଇଯିବ । ପବନର ବେଗ ୭୦ରୁ ୮୦ କିମିକୁ ଖସିବ । ସନ୍ଧ୍ୟା ବେଳକୁ ୬୦ରୁ ୭୦ କିଲୋମିଟରକୁ କମି ଯାଇଥିବ । ରାଜ୍ୟ ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ୧୧ ଜିଲ୍ଲା ଆଲର୍ଟରେ ରହିଛି । ରେଡ୍ ୱାର୍ଣ୍ଣିଂ ମିଳିଥିବା ଜିଲ୍ଲାରୁ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ବାତ୍ୟା ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ଦେଇଛନ୍ତି । ଅନୁ ଗର୍ଗ କହିଛନ୍ତି ଯେ, ୯୧୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସ୍ଥାନାନ୍ତର କରାଯାଇଛି । ଭୂସ୍ଖଳନ ପ୍ରବଣ ଅଂଚଳକୁ ଲୋକଙ୍କୁ ବର୍ତ୍ତମାନ ସ୍ଥାନାନ୍ତର କରାଯାଉଛି । ୫୬ ସେଲ୍ ,୧୯୦ ଡିଜି ସେଟ୍ ଦିଆଯାଇଛି । କୋଷ୍ଟ ଗାର୍ଡ ସହ ଯୋଗାଯୋଗରେ ଅଛୁ । ପର୍ଯ୍ୟଟନସ୍ଥଳକୁ ନଯିବାକୁ ଅନୁରୋଧ କରୁଛୁ । ଆବଶ୍ୟକୀୟ ଜାଗାରେ ଛୁଟି ଦେବାକୁ ଜିଲ୍ଲାପାଳଙ୍କ ହାତରେ କ୍ଷମତା ଦିଆଯାଇଛି । ଡ୍ୟାମରେ ଥିବା ପାଣିକୁ କଢ଼ାଯାଉଛି। ଡ୍ୟାମ ଗୁଡ଼ିକୁ ମନିଟରିଙ୍ଗ କରାଯାଉଛି । ଆବଶ୍ୟକୀୟ ଔଷଧ ଓ ସାପ କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଛି । ରେଳ ବିଭାଗ ତରଫରୁ କୋର୍ଡିନେସନ ସେଲ୍ କରାଯାଇଛି । ଦୁଇଟି ଟ୍ରେନ୍ ବାତିଲ ହୋଇଛି ଓ ଅନେକ ଟ୍ରେନ୍ ର ସମୟ ପରିବର୍ତ୍ତନ କରାଯାଇଛି । ମୋଟ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲାକୁ ପଠାଯାଇଛି । ପୂର୍ବରୁ ୭ ଜଣ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ଥିଲେ ଏବେ ଆଉ ଜଣଙ୍କୁ ମୟୂରଭଞ୍ଜ ଜିଲ୍ଲାକୁ ପଠାଯାଇଛି । ପରିସ୍ଥିତି ଦେଖି ସ୍ଥାନାନ୍ତରଣ ବଢ଼ାଇବାକୁ ଚେଷ୍ଟା କରାଯିବ । କନ୍ଧମାଳରେ ୩୩୦୦, ଗଜପତିରେ ୧୬୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । କୌଣସି ଗୋଟିଏ ସ୍ଥାନ ବଦଳରେ ଆମେ ସବୁ ଜିଲ୍ଲା ପାଇଁ ପ୍ରସ୍ତୁତ ରହିଛୁ । ରେଡ୍ ଆଲର୍ଟ ଥିବା ଜିଲ୍ଲା ଓ ଅରେଞ୍ଜ ଆଲର୍ଟରେ ଥିବା ଜିଲ୍ଲାକୁ ଫୋକସରେ ରଖାଯାଇଛି । ଏହା ସହ ରେଡ୍ ଓ ଅରେଞ୍ଜ ଆଲର୍ଟ ସହ ବର୍ଡରରେ ଥିବା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି ।






