
ଭୁବନେଶ୍ଵର : ଓଡ଼ିଶା ମୁହାଁ ବାତ୍ୟା । ଗୋପାଳପୁରର ସାମାନ୍ୟ ଉତ୍ତରରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ପରେ ପବନର ବେଗ ୭୦ରୁ ୮୦ କିମିକୁ ଖସିଯିବ । କିନ୍ତୁ ଓଡ଼ିଶାରେ ନିର୍ଧୂମ ବର୍ଷା ହେବ । କିଛି ସ୍ଥାନରେ ୨୦୦ରୁ ୩୦୦ ମିମି ଯାଏ ଢାଳିପାରେ । ବନ୍ୟା ଓ ଭୂସ୍ଖଳନ ଆଶଙ୍କା ରହିଛି । ବାତ୍ୟା ଅକଭାନ୍ ଘଣ୍ଟା ପ୍ରତି ୧୨କିମି ବେଗରେ ଆଗକୁ ବଢୁଛି । ୧୯ ଓ ୨୦ରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ ପରେ ବାତ୍ୟା ତୀବ୍ର ଗତିରେ ଦୁର୍ବଳ ହୋଇଯିବ । ପବନର ବେଗ ୭୦ରୁ ୮୦ କିମିକୁ ଖସିବ । ସନ୍ଧ୍ୟା ବେଳକୁ ୬୦ରୁ ୭୦ କିଲୋମିଟରକୁ କମି ଯାଇଥିବ । ରାଜ୍ୟ ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ୧୧ ଜିଲ୍ଲା ଆଲର୍ଟରେ ରହିଛି । ରେଡ୍ ୱାର୍ଣ୍ଣିଂ ମିଳିଥିବା ଜିଲ୍ଲାରୁ ୭୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ପାହାଡ଼ ତଳି ଅଞ୍ଚଳରେ ରହୁଥିବା ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିରୋ କାଜୁଆଲିଟି ବା ଶୂନ୍ୟ ମୃତ୍ୟୁ ଆମ ଲକ୍ଷ୍ୟ । ଏହି ଲକ୍ଷ୍ୟ ଯେମିତି ପୂରା ହେବ, ତାକୁ ଫୋକସ୍ କରି ପ୍ରସ୍ତୁତି ଓ ମୁକାବିଲା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରଭାବିତ ଜିଲ୍ଲାରେ NDRF ଏବଂ ଓଡ୍ରାଫ୍ ଟିମ୍ ସଜାଗ ରହିଛନ୍ତି । ସବୁ ଥାନାରେ ପୁଲିସ ଆଲର୍ଟ ରହିଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲ୍ଲାକୁ ଅଧିକ ସତର୍କ କରାଯାଇଛି । ଏସବୁ ଜିଲ୍ଲାରେ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି ।






