
ପୁରୀ: ପୁଣି ଡରାଇଲାଣି ବାତ୍ୟା। ସମ୍ଭାବ୍ୟ ବାତ୍ୟା ଅକଭାନ୍କୁ ନେଇ ପୁରୀ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀକୁ ହାଇଆଲର୍ଟରେ ରଖାଯାଇଛି। ସମୁଦ୍ର ଅଶାନ୍ତ ହେବା ସହ ବଡ଼ ବଡ଼ ଜୁଆର ଉଠୁଥିବାରୁ ବେଳାଭୂମିରେ ଲାଲ୍ ପତାକା ଲଗାଯାଇଛି। ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କ ପ୍ରବେଶ, ସ୍ନାନ ଓ ବୁଲାବୁଲି ଉପରେ କଟକଣା ଜାରି ହୋଇଛି। ଏଥିସହ ଡଙ୍ଗା ଓ ବୋଟ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଛି।
ବୁଧବାର ସନ୍ଧ୍ୟାରୁ ପୁରୀରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାବେଳେ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି। ପୁରୀ ସମୁଦ୍ରକୂଳ ସମେତ ଅସ୍ତରଙ୍ଗ, ଚନ୍ଦ୍ରଭାଗା ଓ ବାଲିହରଚଣ୍ଡୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଚେତାବନୀ ଦିଆଯାଇଛି।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲାର ଉପକୂଳବର୍ତ୍ତୀ ବ୍ଲକ୍ ଗୁଡ଼ିକର ବିଡିଓ ଓ ତହସିଲଦାରଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସବିଶେଷ ରିପୋର୍ଟ ଉପରେ ନଜର ରଖାଯାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଅନ୍ୟପଟେ ଉଠାଦୋକାନୀମାନଙ୍କୁ ନିଜ ଜିନିଷପତ୍ର ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପ୍ରଶାସନ ପରାମର୍ଶ ଦେଇଛି । ସମୁଦ୍ରକୂଳ ସମେତ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସଜାଗ ରଖାଯାଇଛି । ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣ ଓ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।






