
ରାଞ୍ଚି: ଏମିତି ବି ଆସେ ମୃତ୍ୟୁ….ସ୍କୁଟିରୁ ପଡିଯାଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ଲୋକେ । ସେମାନଙ୍କ ଉପରେ ମାଡିଗଲା 18 ଚକିଆ ଟ୍ରକ । ଫଳରେ 3 ଶିଶୁ ଓ 4 ମହିଳାଙ୍କ ମୃତ୍ୟୁ ଘଟିଛି । ଗତକାଲି(ଗୁରୁବାର) ରାତିରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏପରି ଏକ ଛାତିଥରା ଦୁର୍ଘଟଣା ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।ତେବେ ଦୁର୍ଘଟଣାଟି କର୍ରା ଥାନା ଅଞ୍ଚଳର କୋଶମ୍ବୀ କଲୋନୀରେ ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ନିୟନ୍ତ୍ରଣ ହରାଇ ଟ୍ରକ ମାଡି ଯିବାରୁ 7 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ 4 ଜଣ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଗତକାଲି ରାତି ପ୍ରାୟ 10ଟା 15 ମିନିଟ୍ ସମୟରେ ଗୋଟିଏ ସ୍କୁଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଏକ ବୁଦା ଭିତରେ ଖସିପଡିଥିଲା । ସ୍କୁଟି ଚାଳକଙ୍କୁ ସାହାଯ୍ୟ ପାଇଁ ଆଖପାଖ ଲୋକେ ଘରୁ ବାହାରିଥିଲେ । ସେମାନଙ୍କ ମଧ୍ୟରୁ କିଛି ଯୁବକ ସ୍କୁଟି ଚାଳକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିଲେ । ମହିଳା ଓ ପିଲାମାନେ ରାସ୍ତା କଡରେ ଛିଡା ହୋଇ ଏସବୁ ଦେଖୁଥିଲେ । ଏହି ସମୟରେ ଏକ ଟ୍ରଲର ଦ୍ରୁତ ଗତିରେ ଆସି ରାସ୍ତାରେ ଛିଡା ହୋଇଥିବା ମହିଳା ଓ ପିଲାଙ୍କ ଉପରେ ମାଡି ଯାଇଥିଲା । ଫଳରେ 7 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳର ବିର୍ସା ନାୟକ ନିଜ ପରିବାରର 3 ସଦସ୍ୟଙ୍କୁ ହରାଇଛନ୍ତି । ଟ୍ରକ ମାଡି ଯିବାରୁ ତାଙ୍କ ପତ୍ନୀ, ଝିଅ ଓ ନାତିଙ୍କ ମୃତ୍ୟୁ ଘଟିଛି । ତେବେ ମୃତକମାନେ ହେଲେ-କସିଲା ଦେବୀ, ମାନ୍ଦୁ ଦେବୀ, ଅଞ୍ଜଳି କୁମାରୀ, ପାକୋ ଦେବୀ, ତୁତି କୁମାରୀ, ଗୋଲୁ କୁମାର ଓ ଶିଶୁ ସୌରଭ ନାୟକ ।
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ରେଳ ଫାଟକ ନିକଟରେ ରାସ୍ତା ରୋକ କରିଥିଲେ । ଏହି ଘଟଣାରେ ଖୁଣ୍ଟି ଏସପି ଋଷଭ ଗର୍ଗ କହିଛନ୍ତି, ‘ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଅଟେ ।’ ତେବେ ରାସ୍ତାର ବୁଲାଣି ଓ ଅନ୍ଧାର ପାଇଁ ଏହି ଦୁର୍ଘଟଣା ଘଟିଥିବା ଏସପି କହିଛନ୍ତି ।ଅନ୍ୟପଟେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ପୋଲିସ ଟ୍ରଲରକୁ ଜବତ କରିଥିବା ବେଳେ ଫେରାର ଡ୍ରାଇଭରକୁ ଗିରଫ ପାଇଁ ଚେଷ୍ଟା ଜାରି ରଖିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋସିଆଲ ମିଡିଆ Xରେ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ମୃତକଙ୍କ ଆତ୍ମାଙ୍କୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ।’





