ଏଯାଏଁ ୧୩୨ ନେତା ନେତ୍ରୀ ଓଡ଼ିଶାରୁ ରାଜ୍ୟସଭା ସାଂସଦ ହେବାର ଗୌରବ ଅର୍ଜନ କରିଛନ୍ତି । କଂଗ୍ରେସରୁ ସର୍ବାଧିକ ୫୨ ଜଣ ଯାଇଥିବାବେଳେ ବିଜେଡ଼ିରୁ ଯାଇଛନ୍ତି ୩୬ । ତେବେ ପୁରୁଷ ପ୍ରାଧାନ୍ୟ ରାଜନୀତିରେ ମହିଳା ନେତ୍ରୀଙ୍କୁ କିନ୍ତୁ ସେମିତି ଗୁରୁତ୍ୱ ମିଳିନାହିଁ । ତଥାପି ଯେଉଁ ମହିଳା ନେତ୍ରୀମାନେ ଉଚ୍ଚ ସଦନରେ ଓଡ଼ିଶାର ହକ୍ ପାଇଁ ଲଢେ଼ଇ କରିଛନ୍ତି ସେମାନଙ୍କ ସମ୍ପର୍କରେ କିଛି କଥା ।
ଓଡ଼ିଶାର ପ୍ରଥମ ମହିଳା ରାଜ୍ୟସଭା ସାଂସଦ
ଶୈଳବାଳା ଦାସ
(କଂଗ୍ରେସ) ୧୯୫୨-୧୯୫୪ ୧୯୫୨ରେ ହୋଇଥିବା ପ୍ରଥମ ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରୁ ୯ ଜଣ ରାଜ୍ୟସଭାକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଶୈଳବାଳା ଦାସ । ରାଜ୍ୟସଭାର ପ୍ରଥମ ଓଡ଼ିଆ ମହିଳା ସାଂସଦ ଭାବେ ସେ ଇତିହାସ ରଚିଛନ୍ତି । ପ୍ରସନ୍ନମୟୀ ଦେବୀ ଓ ଅମ୍ବିକା ଚରଣ ହାଜରାଙ୍କର ପ୍ରଥମ ଝିଅ ଶୈଳବାଳା ୨୫ ମାର୍ଚ୍ଚ ୧୮୭୫ରେ କଲିକତା ଠାରେ ଜନ୍ମ ଗ୍ରହଣ କରିଥିଲେ । ମାଆଙ୍କ ମୃତ୍ୟୁ ପରେ ମଧୂସୂଦନ ଦାସ ତାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ସେ ଓଡ଼ିଶାରେ ପ୍ରଥମ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ପରେ ତାଙ୍କ ନାମ ଅନୁସାରେ ଏହି ମହାବିଦ୍ୟାଳୟକୁ ଶୈଳବାଳା ମହିଳା ମହାବିଦ୍ୟାଳୟର ନାମକରଣ କରାଯାଇଛି । ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଯିଏ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ୧୯୦୩ରେ ‘ଉତ୍କଳ ୟଙ୍ଗ ୱିମାନ ଆସୋସିଏସନ୍’ ଗଠନ କରିଥିଲେ । ହିନ୍ଦୁ ବିଧବାମାନଙ୍କ ପାଇଁ ତାଲିମ କେନ୍ଦ୍ର ଖୋଲି ସେମାନଙ୍କୁ ଶିକ୍ଷୟିତ୍ରୀ ହେବାର ତାଲିମ ପ୍ରଦାନ କରୁଥିଲେ । ୧୯୪୧ରେ ସେ ଗଢ଼ିଥିଲେ ନାରୀ ସେବା ସଂଘ । ବିହାର ପାଟଣାରେ ଥିବା ଜେଲର ପ୍ରଥମ ମହିଳା ଜେଲର ଭାବରେ କାମ କରିଥିଲେ । ପ୍ରିନ୍ସ ୱେଲ୍ସ ମେଡିକାଲ କଲେଜ ମ୍ୟାନେଜମେଣ୍ଟ କମିଟିରେ ସେ ପ୍ରଥମ ମହିଳା ସଦସ୍ୟା ଭାବେ କାମ କରିବା ସହ ପାଟଣା ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ବି ଥିଲେ । ଶୈଳବାଳା ହେଉଛନ୍ତି ପ୍ରଥମ ମହିଳା ଯିଏ ଦରମାବିହୀନ ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟକରି ଗୋଟିଏ ବର୍ଷ ଭିତରେ ୬୦୦ରୁ ଅଧିକ ମାମଲାର ରାୟ ଶୁଣାଇଥିଲେ । ଓଡ଼ିଶା ଓ ବିହାରର ଶେଷ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏଡୱାର୍ଡ ଏଲବର୍ଟ ତାଙ୍କୁ କେଶର ଏ ହିନ୍ଦ- ଗୋଲ୍ଡ ମେଡାଲ ପ୍ରଦାନ କରିବାକୁ ଇଚ୍ଛୁକ ଥିବାବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ୧୯୫୨ରୁ ୧୯୫୪ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ । ୨୯ ଏପ୍ରିଲ ୧୯୬୮ ସେ ମୃତ୍ୟୁବରଣ କରିଥିଲେ ।
ରାଜ୍ୟସଭାରୁ ପଡ଼ିଥିଲା ଆଇରନ୍ ଲେଡ଼ିଙ୍କ ମୂଳଦୁଆ
ନନ୍ଦିନୀ ଶତପଥୀ
ଦଳ: କଂଗ୍ର୍ରେସ
ବର୍ଷ: ୧୯୬୨-୧୯୭୨ (୨ଥର)
ଓଡ଼ିଶାର ପ୍ରଥମ ଓ ଆଜିକା ଦିନରେ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥି । ୧୯୬୨ରୁ ୧୯୭୨ ପର୍ଯ୍ୟନ୍ତ ସେ ଥିଲେ ରାଜ୍ୟସଭାର ସାଂସଦ । ସେହି ସମୟରେ ସେ କେନ୍ଦ୍ରମନ୍ତ୍ରୀ ହେବା ସହ ଇନ୍ଦିରା ଗାନ୍ଧୀଙ୍କର ପ୍ରିୟପାତ୍ର ଥିଲେ । ରାଜ୍ୟସଭା ଯିବା ପରେ ହିଁ ତାଙ୍କର ପାୱାର ବଢ଼ିବା ସହ ରାଜ୍ୟ କଂଗ୍ରେସରେ ଦବଦବା ବଢ଼ିଥିଲା । ନନ୍ଦିନୀ ୯ ଜୁନ୍ ୧୯୩୧ରେ ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ପ୍ରସିଦ୍ଧ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ପାଣିଗ୍ରାହୀଙ୍କର ଏକମାତ୍ର କନ୍ୟା । ସେ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରିଥିଲେ । ୧୯୭୨ରୁ ୧୯୭୬ ମସିହା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ଏମଏ ପାସ୍ କରିଥିବା ନନ୍ଦିନୀ ଛାତ୍ର ଜୀବନରୁ ହିଁ ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିଲେ । ୧୯୫୧ ଛାତ୍ର ଆନ୍ଦୋଳନରେ ଯୋଗଦେଇ ଗିରଫ ହୋଇଥିଲେ । ଇନ୍ଦିରାଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ନନ୍ଦିନୀ ୧୯୬୨ରୁ ୧୯୬୮ ପର୍ଯ୍ୟନ୍ତ କଂଗ୍ରେସ ଦଳର ସଦସ୍ୟ ଭାବେ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ । ପରେ ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ସେ ରାଜ୍ୟସଭାକୁ ଯାଇଥିଲେ । ଏହାପରେ ସେ ଅନେକ ବାର ବିଧାୟକ ବି ହୋଇଛନ୍ତି । ୪ ଅଗଷ୍ଟ ୨୦୦୬ରେ ସେ ମୃତ୍ୟୁବରଣ କରିଥିଲେ ।
ସରସ୍ୱତୀ ପ୍ରଧାନ
ଦଳ: କଂଗ୍ରେସ (ଆଇ)
ବର୍ଷ: ୧୯୭୨-୧୯୭୮
୧୯୫୨ ମେ ୩୦ରେ ବରଗଡ଼ ଜିଲ୍ଲାର କେନ୍ଦୁପାଲି ଗାଁରେ ଜନ୍ମ ହୋଇଥିଲେ ସରସ୍ୱତୀ ପ୍ରଧାନ । ଜଣେ ଶିକ୍ଷକ ଭାବରେ ନିଜ ପେଷାଦାର ଜୀବନ ଆରମ୍ଭ କରିଥିଲେ ସରସ୍ୱତୀ । ୧୯୫୭ରେ କାମଗନ ଉଚ୍ଚ ବିଦ୍ୟାଳୟରେ ସେ ଥିଲେ ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ । ୧୯୬୧ରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଭଟଲି ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ଟିକେଟ୍ ଦିଆଯାଇଥିଲା । ଆରମ୍ଭରୁ ରାଜନୀତିରେ ପଶିବା ପାଇଁ ଅନିଚ୍ଛୁକ ଥିବା ସରସ୍ୱତୀ କିନ୍ତୁ ସେହି ନିର୍ବାଚନରେ ବିଜୟ ଲାଭ କଲେ । ପରେ ପୁଣି ୧୯୬୭ ନିର୍ବାଚନରେ ବି ସେ ବିଜୟୀ ହେଲେ । ସେହି ବର୍ଷ ସେ ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ଭାବରେ ରାଜ୍ୟର ଶିକ୍ଷାମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୭୧ରେ ସେ ଉତ୍କଳ କଂଗ୍ରେସ ଦଳରୁ ଭଟଲୀରେ ତୃତୀୟ ଥର ନିର୍ବାଚନ ଲଢ଼ି ସେ ହାରିଯାଇଥିଲେ । ଏହା ପରେ ୧୯୭୨ରେ ସେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୩ ନଭେମ୍ବର ୨ ତାରିଖରେ ୯୮ ବର୍ଷରେ ମୃତ୍ୟୁବରଣ କରିଥିଲେ ।
୪. ମିରା ଦାସ
ଦଳ: ଜନତା ଦଳ ବର୍ଷ: ୧୯୯୦-୧୯୯୬ ମୀରା ଦାସ ୧୦ ନଭେମ୍ବର ୧୯୪୧ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ବଳରାମ ଦାସ ଓ ମାଆଙ୍କ ନାମ ପଦ୍ମାବତୀ ଦାସ । ସେ ଏମ.ଏ ଏଲଏଲବି ପାସ୍ କରିଥିଲେ । ୧୯୯୦ରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଜନତା ଦଳ ପକ୍ଷରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ ।
୫. ଇଲା ପଣ୍ଡା
ଦଳ: ଜନତା ଦଳ ବର୍ଷ: ୧୯୯୨-୧୯୯୮ ଇଲା ପଣ୍ଡା ହେଉଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ପ୍ରାଧ୍ୟାପକ ପ୍ରଫେସର ଘନଶ୍ୟାମ ଦାଶଙ୍କର ଝିଅ । ପ୍ରଫେସର ଦାଶ ଇଂଲଣ୍ଡରୁ ପାଠ ପଢ଼ି ଫେରିବା ପରେ ଓଡ଼ିଶାରେ ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଇଲା ୧୯୩୨ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମ ହୋଇଥିଲେ । ସେ ମଧ୍ୟ ଲଣ୍ଡନରୁ ଟେକ୍ସଟାଇଲ ଡିଜାଇନିଂ ପାଠ ପଢ଼ି ଓଡ଼ିଶାରେ ବ୍ୟବସାୟିକ ପ୍ରତିଷ୍ଠାନ ଆରମ୍ଭ କରିଥିଲେ । ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ଡ.ବଂଶୀଧର ପଣ୍ଡାଙ୍କ ସହିତ ମିଶି ଇଲା ପଣ୍ଡା ଇମ୍ଫା ପ୍ରତିଷ୍ଠା କରିଥିଲେ । ସେ ୧୯୯୨ରୁ ୧୯୯୮ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଭାବେ ଜନତା ଦଳ ତରଫରୁ ପ୍ରତିନିଧିତ୍ୱ କରୁଥିଲେ । ସେ ଓଡିଶାରେ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ସମ୍ମାନ ଶାରଳା ସମ୍ମାନର ପ୍ରଚଳନ କରାଇଥିଲେ ।
୬ ଜୟନ୍ତୀ ପଟ୍ଟନାୟକ
ଦଳ : କଂଗ୍ରେସ (ଆଇ) ବର୍ଷ: ୧୯୯୬-୧୯୯୮ ଜୟନ୍ତୀ ପଟ୍ଟନାୟକ ୭ ଏପ୍ରିଲ ୧୯୩୨ରେ ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଭାରତୀୟ ରାଜନୀତିଜ୍ଞ, ସମାଜସେବୀ ଏବଂ ସାହିତ୍ୟିକା ଥିଲେ । ସେ ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଥିଲେ । କଟକର ଶୈଳବାଳା ମହିଳା କଲେଜରୁ ସ୍ନାତକ ଏବଂ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜସେବାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିବାବେଳେ ଚାରିଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ (୩ ଥର ଲୋକସଭା ଓ ୧ ଥର ରାଜ୍ୟସଭା) । ସେ କଟକ ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ଜୟନ୍ତୀ ପଟ୍ଟନାୟକ ଜଣେ ଜଣାଶୁଣା ଲେଖିକା ଓ ଅନୁବାଦିକା ଥିଲେ । ସେ କେଏମ୍ ମୁନ୍ସୀଙ୍କ ‘କୃଷ୍ଣାବତାର’ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିଲେ । ସାହିତ୍ୟ ପତ୍ରିକା ‘ପୌରୁଷ’ର ସମ୍ପାଦିକା ମଧ୍ୟ ଥିଲେ । ସେ ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ।
ଫ୍ରିଡା ଟପ୍ନୋ
ଦଳ : କଂଗ୍ରେସ ବର୍ଷ: ୧୯୯୮-୨୦୦୨ ଫ୍ରିଡା ଟପ୍ନୋ ୨୦ ସେପ୍ଟେମ୍ବର ୧୯୨୫ରେ ସୁନ୍ଦରଗଡ଼ ଜିଲ୍ଲାର ରଣଗାଁରେ ଜନ୍ମଗ୍ରହଣ କରିଥିଲେ । ଫ୍ରିଡା ହେଊଛନ୍ତି ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ସ୍ନାତକ । ୧୯୫୦ରେ ଓଡ଼ିଶା ସରକାରଙ୍କ ଜିଲ୍ଲା କଲ୍ୟାଣ (ଗେଜେଟେଡ୍) ଅଧିକାରୀ ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୮୩ରେ ଆଦିବାସୀ ଏବଂ ହରିଜନ କଲ୍ୟାଣ ବିଭାଗରେ ଉପ-ନିର୍ଦ୍ଦେଶକ-ସଚିବ ଭାବରେ ଅବସର ଗ୍ରହଣ କରିଥିଲେ । ୧୯୮୫ରେ, ସେ କଂଗ୍ରେସ ପ୍ରାର୍ଥୀ ଭାବରେ ସୁନ୍ଦରଗଡ଼ର ରଘୁନାଥପାଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୯୧ ଏବଂ ୧୯୯୬ରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରୁ ଦଶମ ଏବଂ ଏକାଦଶ ଲୋକସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ । ରାଉରକେଲାର ଜଲଦାରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଓ ବିର୍ସା ମୁଣ୍ଡା ପୁରସ୍କାର ଆରମ୍ଭ କରିଥିଲେ । ୧୯୯୬ରେ ବେଜିଂରେ ଅନୁଷ୍ଠିତ ବିଶ୍ୱ ମହିଳା ସମ୍ମିଳନୀରେ ସଂସଦୀୟ ପ୍ରତିନିଧି ଦଳର ସଦସ୍ୟ ଭାବରେ ଯୋଗ ଦେଇଥିଲେ । ସେ ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ । ଫ୍ରିଡା ଭାରତୀୟ ମହିଳା ହକି ଫେଡେରେସନର ଜାତୀୟ ଉପାଧ୍ୟକ୍ଷ ଏବଂ ଓଡ଼ିଶା ମହିଳା ହକି ସଂଘର ସଭାପତି ଥିଲେ । ଏହି ବରିଷ୍ଠ କଂଗ୍ରେସ ନେତ୍ରୀ ୬ ଫେବୃଆରୀ ୨୦୧୮ରେ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।
ସୁଶ୍ରୀ ଦେବୀ
ଦଳ: ବିଜେଡି ବର୍ଷ: ୨୦୦୨-୨୦୦୮ ୧୯୫୦ ମସିହା ଅକ୍ଟୋବର ୧୦ରେ ଛତିଶଗଡ଼ ରାଇପୁର ଠାରେ ଏକ ରାଜ ପରିବାରେ ସୁଶ୍ରୀ ଦେବୀଙ୍କର ଜନ୍ମ । ଅନୁପ ସିଂହ ଦେଓ ଓ ମାତା ସୌଭାଗ୍ୟମଞ୍ଜରୀ ଦେବୀଙ୍କର ଝିଅ ସୁଶ୍ରୀ ୨୭ ଜାନୁଆରୀ ୧୯୬୯ରେ ଶରତ କୁମାର ଦେଓଙ୍କୁ ବିବାହ କରି ଓଡ଼ିଶା ଆସିଥିଲେ । ବିବାହ ପରେ ପାଠ ପଢ଼ା ଜାରି ରଖି ସେ କଟକର ଶୈଳବାଳା କଲେଜରୁ ବିଏ ପାସ୍ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଆଳି ଠାରେ ବର୍ଦ୍ଧିତ ଜଳ କର ବିରୋଧରେ ୧୯୭୧ରେ ହୋଇଥିବା କୃଷକ ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୭୭ରେ କେନ୍ଦ୍ରାପଡା ଜିଲ୍ଲାରେ ଝିଅମାନଙ୍କର ଶିକ୍ଷାପାଇଁ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା, ୧୯୭୧ ଓ ୧୯୯୯ ବନ୍ୟା ବାତ୍ୟାରେ ଆଳି ଲୋକଙ୍କ ପାଇଁ ସହାୟତା ପ୍ରଦାନ ଏବଂ ପ୍ରତ୍ନତତ୍ୱ ଭିତ୍ତିକ ସଂରକ୍ଷଣ କାର୍ଯ୍ୟରେ ସେ ଜଡିତ ଥିଲେ । ସେ ଲିଫ୍ଟ ଇରିଗେସନ କର୍ପୋରେସନ, ଓଡ଼ିଶାରେ ତିନି ବର୍ଷ ଧରି ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ବୋର୍ଡରେ ପାଞ୍ଚ ବର୍ଷ ପାଇଁ ସଦସ୍ୟ ଭାବେ ଓ ଟିଏସିରେ ୪ ବର୍ଷ ପାଇଁ ସଦସ୍ୟ ଭାବେ କାମ କରିଥିଲେ ।
ପ୍ରମିଳା ବହିଦାର
ଦଳ: ବିଜେଡି ବର୍ଷ: ୨୦୦୨-୨୦୦୮ ୧୯୪୯, ଫେବୃଆରୀ ୩ରେ ସମ୍ବଲପୁର ଠାରେ ପ୍ରମିଳା ବହିଦାରଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ ଦୟାସାଗର ବହିଦାର ଓ ମାଆ ପ୍ୟାରୀମଣି ବହିଦାର । ସେ ଇତିହାସରେ ଏମ୍ଏ ଓ ଏଲ୍ଏଲ୍ବି ମଧ୍ୟ କରିଛନ୍ତି । ୧୯୮୯-୯୦ରୁ ସମ୍ବଲପୁର ଜିଲ୍ଲାରେ ମୁଖ୍ୟତଃ ମହିଳାମାନଙ୍କର ଅଧିକାର, ବିଧବା ଓ ପରିତ୍ୟକ୍ତାମାନଙ୍କୁ ନ୍ୟାୟପ୍ରଦାନ ପାଇଁ ସେ ଲଢିଥିଲେ । ଛାତ୍ର ଜୀବନରୁ ସେ ରାଜନୀତି ସହ ସମ୍ପୃକ୍ତ । ୧୯୭୨ରେ ସମ୍ବଲପୁରର ମହିଳା କଲେଜର ଅଧ୍ୟକ୍ଷା ହେବା ପରେ ୧୯୭୩-୭୫ରେ ଜୟ ପ୍ରକାଶ ନାରାୟଣଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସକ୍ରିୟ ଭାବରେ ସାମିଲ ହୋଇଥିଲେ । ୧୯୭୪ରେ ଯୁବ ଜନତା ଦଳର ସଭାପତି ହୋଇଥିଲେ । ପଶ୍ଚିମ ଓଡ଼ିଶାରେ ବିଜୁ ଜନତା ଦଳର ନେତୃତ୍ୱ ମଧ୍ୟ ନେଉଥିଲେ ।
ସୁଶୀଳା ତିରିଆ
ଦଳ: କଂଗ୍ରେସ ବର୍ଷ: ୨୦୦୬-୨୦୧୨ ମୟୂରଭଞ୍ଜ ଜିଲ୍ଲା କାଳୁଅଖମନ ଗାଁର ରୂପା ନାରାୟଣ ତିରିଆ ଓ ମାମାରୀ ତିରିଆଙ୍କ ଝିଅ ସୁଶୀଳାଙ୍କର ଜନ୍ମ ୬ ଫେବୃଆରୀ ୧୯୫୬ ମସିହାରେ । ସେ କଳାରେ ସ୍ନାତକ ପାସ କରିଛନ୍ତି । ୧୯୮୭ରୁ ୧୯୯୩ ପର୍ଯ୍ୟନ୍ତ ଏଆଇସିସିର ସାଧାରଣ ସମ୍ପାଦକ, ୧୯୯୪-୯୮ ଯାଏଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଯୁଗ୍ମ ସମ୍ପାଦକ, ୧୯୯୮-୨୦୦୪ ଯାଏଁ ଓଡ଼ିଶା ପ୍ରଦେଶ କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ଭାବେ କାମ କରିଛନ୍ତି ଏହା ସହିତ ସୁସାର ନାମକ ଏକ ଆଦିବାସୀ ସଙ୍ଗଠନର ସଭାପତି ଭାବେ କାମ କରିଛନ୍ତି ।
ରେଣୁବାଳା ପ୍ରଧାନ
ଦଳ: ବିଜେଡି ବର୍ଷ: ୨୦୦୮-୨୦୧୪ ୧୯୬୪ ମେ ୧୦ରେ ଗଞ୍ଜାମ ଜିଲ୍ଲା ଟକରଡ ଠାରେ ରେଣୁବାଳା ପ୍ରଧାନ ଜନ୍ମ ହୋଇଥିଲେ । ତାଙ୍କ ବାପାଙ୍କ ନାମ ଗୌରଚନ୍ଦ୍ର ପ୍ରଧାନ ଓ ମାଆ ନିରୂପମା ପ୍ରଧାନ । ୧୯୮୩ରେ ରାଜେନ୍ଦ୍ର ନାରାୟଣ ପ୍ରଧାନଙ୍କ ସହ ତାଙ୍କର ବାହାଘର ହୋଇଥିଲା । ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ୧୯୯୯-୨୦୦୨ରେ ବିଜେଡ଼ିର ରାଜ୍ୟ ସମ୍ପାଦକ, ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସମନ୍ୱିତ ଶିଶୁ ବିକାଶ ଯୋଜନା, ଜିଲ୍ଲା ସ୍ତରୀୟ କମିଟି ଗଞ୍ଜାମର ଅଧ୍ୟକ୍ଷ, ୨୦୦୩ରୁ ୨୦୦୮ ଗଞ୍ଜମ ଜିଲ୍ଲା ସୌର ପରାମର୍ଶଦାତା କମିଟି ଏବଂ ୨୦୦୪ରୁ ୦୬ ପର୍ଯ୍ୟନ୍ତ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ,ସଦସ୍ୟା ଏବଂ ୨୦୦୬-୦୮ରେ ଭାରତ-ଶ୍ରୀଲଙ୍କା ସଂସଦୀୟ ବନ୍ଧୁତା ଗୋଷ୍ଠୀର ଉପାଧ୍ୟକ୍ଷ ଭାବେ କାମ କରିଛନ୍ତି ।
ସରୋଜିନୀ ହେମ୍ବ୍ରମ
ଦଳ : ବିଜେଡି ବର୍ଷ: ୨୦୧୪-୨୦୨୦ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ୧ ଅକ୍ଟୋବର ୧୯୫୯ରେ ସରୋଜିନୀ ହେମ୍ବ୍ରମଙ୍କର ଜନ୍ମ । ସରୋଜିନୀ ହେମ୍ବ୍ରମ ଓଡ଼ିଶାର ମୟୂରଭଞ୍ଜର ରାଇରଙ୍ଗପୁର ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଚୈତନ୍ୟ ପ୍ରସାଦ ମାଝୀ ଏବଂ ଦମୟନ୍ତୀ ମାଝୀଙ୍କ ଝିଅ । ସେ ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସଂଗୀତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ରାଜନୀତିେରେ ଯୋଗଦେବା ପୂୂର୍ବରୁ ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ ସାନ୍ତାଳୀ ଭାଷାର ଜଣେ ବରିଷ୍ଠ କଳାକାର ଭାବେ ସେ ସୁନାମ ଅର୍ଜିଥିଲେ । ସାନ୍ତାଳୀ, ହିନ୍ଦୀ, ଇଂରାଜୀ, ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ତାଙ୍କର ଦକ୍ଷତା ରହିଥିଲା । ୨୦୦୯ରେ ସେ ଚାକିରୀ ଛାଡ଼ି ବାଙ୍ଗିରୀପୋଷୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟିକା ହୋଇଥିଲେ । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସେ ବୟନଶିଳ୍ପ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ଶୀତକାଳୀନ ଅଧିବେଶନରେ, ସେ ପ୍ରଥମ ଥର ପାଇଁ ରାଜ୍ୟସଭାରେ ମାତୃଭାଷା ସାନ୍ତାଳୀ ଭାଷାରେ ସ୍ଥାନୀୟ ସମସ୍ୟା ଉଠାଇଥିଲେ ।
ପଞ୍ଚାୟତରୁ ପାର୍ଲାମେଣ୍ଟ
ସୁଲତା ଦେଓ
ଦଳ: ବିଜେଡି ବର୍ଷ: ୨୦୨୨-୨୦୨୮ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଗାଁ ସରପଞ୍ଚ ଭାବରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ସୁଲତା ଦେଓ । ୧୩ ଜୁନ୍ ୧୯୭୨ରେ କଟକ ଜିଲ୍ଲା କୁସୁପୁର ଗାଁରେ ସୁମନ୍ତ କୁମାର ଜେନା ଓ ସଂଘମିତ୍ର ଜେନାଙ୍କ ଘରେ ତାଙ୍କର ଜନ୍ମ । ୨୧ ଏପ୍ରିଲ ୧୯୯୬ରେ ସେ ବିକ୍ରମ କେଶରୀ ଦେଓଙ୍କୁ ବିବାହ କରିଛନ୍ତି । ଜୁଲାଇ ୨୦୨୨ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚରୁ ସୁଲତାଙ୍କ ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ଏହାପରେ ସେ ୨୦୦୭ରୁ ୨୦୦୯ ଯାଏଁ ଯାଜପୁର ଜିଲ୍ଲା ପରିଷଦ ସଦସ୍ୟ, ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଥିଲେ । ୨୦୨୩ରେ ରାଜ୍ୟସଭାର ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଥିଲେ ।
ମମତା ମହନ୍ତ
ଦଳ: ବିଜେପି ବର୍ଷ: ୨୦୨୦-୨୦୨୬ ୨୦ ଫେବୃଆରୀ ୧୯୭୬ରେ ମୟୂରଭଞ୍ଜ ଜିଲ୍ଲା କାଣିମହୁଲି ଅଞ୍ଚଳରେ ବାବୁରାମ ମହନ୍ତ ଓ ଗୋଲାପ ମଞ୍ଜରୀ ମହନ୍ତଙ୍କ ଘରେ ମମତାଙ୍କର ଜନ୍ମ । ବିଏ ଯାଏଁ ପାଠ ପଢ଼ିଥିଲେ ବି ପେଷାରେ ମମତା ଜଣେ ଚାଷୀ । ୨୦୧୨ରୁ୨୦୧୭ ପର୍ଯ୍ୟନ୍ତ ସେ ମୟୂରଭଞ୍ଜରେ ଜିଲ୍ଲା ପରିଷଦ ସଦସ୍ୟ ଭାବରେ କାମ କରିଛନ୍ତି । ଏପ୍ରିଲ ୨୦୨୦ରୁ ବିଜେଡିରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୩୧ ଜୁଲାଇ ୨୦୨୪ରେ ବିଜେଡିରୁ ଇସ୍ତଫା ଦେଇ ଅଗଷ୍ଟ ୨୦୨୪ରୁ ବିଜେପିରୁ ରାଜ୍ୟସଭାକୁ ନର୍ବାଚିତ ହୋଇଛନ୍ତି ।




