
ଦେବଗଡ଼:ଗୋହିରାମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟ ଡାହାଣ ବାମ କେନାଲ, ମାଇନର, ସବମାଇନର ଓ ୱାଟରକୋର୍ସ ପୁନରୁଦ୍ଧାର କରିବା ପାଇଁ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଦାବି କରାଯାଇଛି।ଏନେଇ ଆଜି କମିଟିର ସଦସ୍ୟ ଅନୁଗୁଳ ଜିଲ୍ଲାର ସମଲ ସ୍ଥିତ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବୀ ପତ୍ରକୁ ପ୍ରଦାନ ବେଳେ ଗୋହିରାଡ୍ୟାମ ଶୀର୍ଷକମିଟିର ଅଧ୍ୟକ୍ଷ ପର୍ଶୁରାମ ଗଡନାୟକ, ରତନଖଡିନାଳୀ ଗ୍ରାମର ବୀରହନୁମାନ ପାଣିପଞ୍ଚାୟତର ସଭାପତି ସନ୍ତୋଷ ପାନ୍ନା, ଆଡସ ଗ୍ରାମର ଜୟ ଜଗନ୍ନାଥ ପାଣିପଞ୍ଚାୟତର ସଭାପତି ମିତ୍ରଭାନୁ ବେହେରା ,ଗୁଣ୍ଡିଆପାଲି ସରପଞ୍ଚ ପ୍ରକାଶ ଆଚର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ,ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟକେନାଲ ମାଇନର ସବମାଇନର ଓ ୱାଟରକୋର୍ସର କେନାଲ ଗୁଡିକର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ଯାହା ଫଳରେ ଚାଷୀମାନେ କେନାଲର ପାଣି ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି କେନାଲ ଗୁଡିକ ପାଣି ପଞ୍ଚାୟତ ତତ୍ତ୍ୱାବଧାନରେ ଏହାର ନିର୍ମାଣକାର୍ଯ୍ୟ କରାଗଲେ ଚାଷୀମାନେ ଚାଷକେନାଲ ପାଣି ସୁଚାରୁରୂପେ ପାଇ ପାରିବେ। ଏହାସହିତ ୱାଟରକୋର୍ସ, ମାଇନର ଓ ସବମାଇନର ପୁନରୁଦ୍ଧାର,ସମସ୍ତ କେନାଲ ଆଉଟଲେଟ ଗେଟ ଗୁଡିକ ନୂତନ ନିର୍ମାଣ,ଜବରଦଖଲଙ୍କ ଅଧୀନରେ କେନାଲ ଗୁଡିକ ଉଦ୍ଧାର,ଦେବଗଡ ଜଳସେଚନ ବିଭାଗର ଖାଲିଥିବା ପଦ ପଦବୀ ପୂରଣ,ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପର ପୂର୍ବଅନୁଦାନ ଅପେକ୍ଷା ନୂତନ ବର୍ଷ ଅନୁଦାନକୁ ବୃଦ୍ଧି,ଗୋହିରା ଜଳସେଚନ ବିଭାଗ ତରଫରୁ କେନାଲ ଗୁଡିକର ଉନ୍ନତି କରଣ କାର୍ଯ୍ୟ ଗୁଡିକ ପାଣି ପଞ୍ଚାୟତକୁ ଅଗ୍ରାଧିକାର ଦିଆଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି।




