
-ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ; ଲୁଗା, ଭଲିବଲ୍ ଓ କ୍ରିକେଟ୍ କିଟ୍ ସହ ପାଣି ଟାଙ୍କି ପ୍ରଦାନ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ପେନାମାଲାଠାରେ ସି ଓ ବି ୧୮୦ ବାଟାଲିୟନ ସୀମା ସୁରକ୍ଷା ବଳ ପକ୍ଷରୁ ଏକ ନାଗରିକ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ, ସାମାଜିକ ସଚେତନତା ବୃଦ୍ଧି ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୧୮୦ ବାଟାଲିୟନ ବି ଏସ ଏଫ ର କମାଣ୍ଡାଣ୍ଟ ଶ୍ରୀ ନାଓରେମ ଗୋପୀନାଥ ସିଂହ ଏବଂ ଡେପୁଟି କମାଣ୍ଡାଣ୍ଟ ଡା. ବୈଭବ ବାତ୍ରା ରାଇକିଆ ଥାନା ଅଧିକାରୀ ଏ ସ୍ୱର୍ଣଲତା ପାତ୍ର ଯୋଗଦେଇଥିଲେ । ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସା ଦଳ ଶିବିରରେ ସାମିଲ ହୋଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଥିଲେ।କେବଳ ସ୍ୱାସ୍ଥ୍ୟସେବାରେ ସୀମିତ ନ ରହି ବି ଏସ ଏଫ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉପଯୋଗୀ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଲୋକଙ୍କୁ ଲୁଗା ବଣ୍ଟନ କରାଯିବା ସହ ଯୁବପିଢ଼ିଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ଓ ଖେଳ ପ୍ରତି ଆଗ୍ରହ ବୃଦ୍ଧି ନିମନ୍ତେ ଭଲିବଲ୍ କିଟ୍ ଏବଂ କ୍ରିକେଟ୍ କିଟ୍ ପ୍ରଦାନ କରାଯାଇଥିଲା। ଏଥିସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜଳ ଆବଶ୍ୟକତା ପୂରଣ ଦିଗରେ ସହାୟତା ପାଇଁ ପାଣି ଟାଙ୍କି ମଧ୍ୟ ବଣ୍ଟନ କରାଯାଇଥିଲା।ଏହି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଏସ ଏଫ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କ ଜୀବନଧାରା, ଯୁବପିଢ଼ିଙ୍କ କ୍ରୀଡ଼ା ମନୋଭାବ ଏବଂ ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିଲା। ଏଭଳି ପଦକ୍ଷେପ ସୁରକ୍ଷା ବାହିନୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆପୋଷ ବିଶ୍ୱାସ, ସହଯୋଗ ଓ ସମନ୍ୱୟକୁ ଅଧିକ ମଜବୁତ କରିବାରେ ସହାୟକ ହେବ।
ଅନ୍ୟପକ୍ଷରେ, ବି ଏସ ଏଫ ଓ ରାଇକିଆ ସି ଏଚ ସି ର ମିଳିତ ପ୍ରୟାସରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର ଗ୍ରାମାଞ୍ଚଳର ଲୋକଙ୍କୁ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ଦେଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା





