ଓଡ଼ିଶାରେ ୨୯୦ ନୂଆ ଚାର୍ଜିଂ ଷ୍ଟେସନ୍ ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ନୁହେଁ, ଭବିଷ୍ୟତର ଯାତାୟାତ ହେବ ବିଦ୍ୟୁତ୍ ଶକ୍ତି ଆଧାରିତ । ଇଲେକ୍ଟ୍ରିକ୍ ଯାନକୁ ନେଇ ବଢୁଛି ଲୋକଙ୍କ ଆଗ୍ରହ । କିନ୍ତୁ ଗାଡ଼ି କିଣିବାକୁ ଆଗ୍ରହ ଥିଲେ ବି ଚାର୍ଜିଂ ଷ୍ଟେସନ୍‌ର ଅଭାବ ଏବେ ବଡ଼ ଚ୍ୟାଲେଞ୍ଜ । ଏହି ସମସ୍ୟାର ସମାଧାନ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛି ଓଡ଼ିଶା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୭୦ଟି EV ଚାର୍ଜିଂ ଷ୍ଟେସନ୍‌କୁ ମଞ୍ଜୁରୀ ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୯୦ ପାଇଁ ଉଦ୍ୟମ ଚାଲିଛି । ରାଜ୍ୟର ନିଜସ୍ୱ ଯୋଜନାରେ ୫୦୦ରୁ ଅଧିକ ଚାର୍ଜିଂ ଷ୍ଟେସନ୍ ନିର୍ମାଣ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ୨୯୦ଟି ନୂଆ ପବ୍ଲିକ୍ ଚାର୍ଜିଂ ଷ୍ଟେସନ୍ ପାଇଁ ପ୍ରସ୍ତାବ ଦେଇଛି ରାଜ୍ୟ ପରିବହନ ବିଭାଗ । ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ (PM E-DRIVE) ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଏହି ପ୍ରସ୍ତାବ ଦିଆଯାଇଛି । ୧୩ଟି ସହର ସହ ଜାତୀୟ ଓ ରାଜ୍ୟ ରାଜପଥରେ ମଧ୍ୟ ଚାର୍ଜିଂ ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି । ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା ସହ ପ୍ରଦୂଷଣମୁକ୍ତ ଯାତାୟାତ ବ୍ୟବସ୍ଥା ଗଢ଼ିବା ଓ ଚାର୍ଜିଂ ଷ୍ଟେସନ୍‌ର ଅଭାବ ଯେପରି ଇଲେକ୍ଟ୍ରିକ୍ ଯାନ ବ୍ୟବହାରରେ ବାଧା ନସାଜେ ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ପଦକ୍ଷେପ ନେଇଛନ୍ତି ।
ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ, PM E-DRIVE ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରସ୍ତାବିତ ୨୯୦ଟି ସ୍ଥାନ ମଧ୍ୟରୁ ୬୮ଟି ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ୱେ-ସାଇଡ୍ ଆମେନିଟି ସେଣ୍ଟରରେ ଚିହ୍ନଟ କରାଯାଇଛି । ଏହାବ୍ୟତୀତ ଜାତୀୟ ଓ ରାଜ୍ୟ ରାଜପଥରେ ଆଉ ୬ଟି ରଣନୈତିକ ସ୍ଥାନ ଚିହ୍ନଟ ହୋଇଛି । ବିଶେଷକରି ପାରାଦ୍ବୀପ-ବଡ଼ବିଲ କରିଡରକୁ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ (BHEL)କୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା ଭାବେ ଦାୟିତ୍ୱ ଦିଆଯାଇଛି । ସ୍ଥାନ ଗୁଡ଼ିକର ବୈଷୟିକ ସମ୍ଭାବ୍ୟତା ଓ ଉପଯୁକ୍ତତା ଯାଞ୍ଚ ପାଇଁ ସର୍ଭେ କରାଯିବ ।
ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୭ଟି ସହରରେ ୧୭୦ଟି ପବ୍ଲିକ୍ ଚାର୍ଜିଂ ଷ୍ଟେସନ୍‌କୁ କେନ୍ଦ୍ରର ମଞ୍ଜୁରୀ ମିଳିସାରିଛି । ଏହାର କାର୍ଯ୍ୟ ଏବେ ଚାଲୁ ରହିଛି । ସେପଟେ କେବଳ କେନ୍ଦ୍ରୀୟ ଯୋଜନା ନୁହେଁ, ନିଜସ୍ୱ ଉଦ୍ୟମରେ ମଧ୍ୟ ରାଜ୍ୟ ସରକାର ୫୦୦ରୁ ଅଧିକ ଚାର୍ଜିଂ ଷ୍ଟେସନ୍ ବିକଶିତ କରୁଛନ୍ତି । ଏଥିମଧ୍ୟରୁ ଭୁବନେଶ୍ୱରରେ ୨୪ଟି ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ମିଳିଛି । ଅଟଳ ବସ୍‌ଷ୍ଟାଣ୍ଡ ଓ ଟ୍ରକ୍ ଟର୍ମିନାଲ୍‌ ଗୁଡ଼ିକରେ ମଧ୍ୟ ଚାର୍ଜିଂ ସୁବିଧା ସ୍ଥାପନ ଉପରେ କାମ ଚାଲିଛି ।

  • Related Posts

    ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ, ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

    କଟକ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କାଂସାରିଗୁଡ଼ା ମୌଜାରେ ଜଙ୍ଗଲ ଜମି କମ୍ପାନି ଦ୍ବାରା ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ…

    Continue reading
    ଡଙ୍ଗା ବୁଡ଼ି ମାଛ ଧରାଳିଙ୍କ ମୃତ୍ୟୁ

    ରେଙ୍ଗାଳି: ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ଡଙ୍ଗା ବୁଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଗ୍ରାମର ନୀଳକଣ୍ଠ ବେହେରା। ଏହି ଅଘଟଣ ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି