
ଇମ୍ଫାଲ: ମଣିପୁରରେ ନାଗା ସମ୍ପ୍ରଦାୟର ୬ ଜଣଙ୍କ ମୃତଦେହ ଉଦ୍ଧାର ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଏହି ଘଟଣାର ପ୍ରତିବାଦରେ ନାଗା ସମ୍ପ୍ରଦାୟ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଜଳାପୋଡ଼ା କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମଣିପୁର ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି ଗତକାଲି କାଙ୍ଗପୋକପି ଜିଲାରେ ୬ ଜଣ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଥିଲା। ଉଦ୍ଧାର ପରେ ମୃତଦେହଗୁଡ଼ିକୁ ଶବାଗାରରେ ରଖାଯାଇଛି।ମୃତ ବ୍ୟକ୍ତିମାନେ ମେ ୧୩ ତାରିଖରୁ ନିଖୋଜ ଥିଲେ। କୁକି ସଶସ୍ତ୍ର ଗୋଷ୍ଠୀ ଏମାନଙ୍କୁ ଅପହରଣ କରିଥିଲା ବୋଲି ଅଭିଯୋଗ ରହିଛି। ମଣିପୁର ପାର୍ବତ୍ୟାଞ୍ଚଳ ଜିଲାଗୁଡ଼ିକରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଲାଗିରହିଛି। ମଣିପୁର ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ କହିଛନ୍ତି, ହିଂସା ଘଟଣା ନେଇ ସରକାର ନିରବଦ୍ରଷ୍ଟା ସାଜିନାହାନ୍ତି। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନାଗା ସମ୍ପଦ୍ରାୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସେମାନେ ନାଗା ସମ୍ପ୍ରଦାୟବହୁଳ ଅଞ୍ଚଳରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ମଣିପୁର ଉପମୁଖ୍ୟମନ୍ତ୍ରୀ ନେମ୍ଚା କିପଜେନ୍ଙ୍କ ଇସ୍ତଫା ଦାବି କରିଛନ୍ତି।


