
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ମିଳିଥିବା ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ଏକ ପୋକ୍ସୋ ମାମଲା ଖାରଜ କରି ଦେଇଛନ୍ତି। ଦୁଷ୍କର୍ମ ଅଭିଯୋଗ ଆଣିଥିବା ନାବାଳିକା ପ୍ରାପ୍ତବୟସ୍କା ହେବା ପରେ ଅଭିଯୁକ୍ତ ତାଙ୍କୁ ବିବାହ କରିଥିବାରୁ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିବା ପୋକ୍ସୋ ମାମଲାକୁ ଖାରଜ କରିବା ସହ ତାଙ୍କୁ ଦୋଷମୁକ୍ତ କରି ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଯୁବକଜଣକ ବିବାହ ପାଇଁ ମନା କରି ଦେବାରୁ ନାବାଳିକାଙ୍କ ତରଫରୁ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ୨୦୧୯ରେ ଏକ ଅଦାଲତ ଯୁବକଙ୍କୁ ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଥିଲେ। ଅନ୍ୟପକ୍ଷରେ ସଂପୃକ୍ତ ପୀଡ଼ିତା ଜଣକ ପ୍ରାପ୍ତ ବୟସ୍କ ହେବା ପରେ ଅନ୍ୟଜଣେ ଯୁବକଙ୍କୁ ବିବାହ କରିଥିଲେ। ତେବେ ସେ ବିବାହ କରିଥିବା ଯୁବକଜଣକ ପୀଡ଼ିତାଙ୍କ ପୂର୍ବ ଇତିହାସ ଜାଣିବା ପରେ ତାଙ୍କ ସହ ସମ୍ପର୍କ ଛିନ୍ନ କରି ଦେଇଥିଲେ। ଦୁଷ୍କର୍ମ ଅଭିଯୋଗରେ େଜଲ୍ ଯାଇଥିବା ଯୁବକ ଜାମିନ୍ରେ ଥିବା ବେଳେ ପୁନର୍ବାର ପୀଡ଼ିତାଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। କିଛିଦିନ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇ ଘରସଂସାର କରି ରହିଥିଲେ। ନିଜ ସ୍ବାମୀଙ୍କ ବିରୋଧରେ ପୋକ୍ସୋ ଅାଇନ ଅନୁଯାୟୀ ଚାଲୁଥିବା ମାମଲାକୁ ଖାରଜ କରିବାକୁ ମହିଳାଜଣକ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିେଲ। ତେବେ ମାଡ୍ରାସ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।
ମାଡ୍ରାସ ହାଇକୋର୍ଟଙ୍କ ରାୟ ବିରୋଧରେ ଦମ୍ପତି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଜେ.କେ ମାହେଶ୍ବରୀ ଓ ବିଚାରପତି ଅତୁଲ ଏସ୍.ଚନ୍ଦୁରକରଙ୍କୁ ନେଇ ଗଠିତ ପୀଠ ନିଜ ରାୟରେ ଦର୍ଶାଯାଇଥିଲେ ଯେ ପୀଡ଼ିତାଜଣକ ସାବାଳିକା ହେବା ପରେ ଅଭିଯୁକ୍ତ ତାଙ୍କୁ ବିବାହ କରିଛନ୍ତି। ତେଣୁ ସେମାନେ ଜୀବନସାଥୀ ଭାବେ ସମାଜରେ ଶାନ୍ତିପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ସ୍ବତନ୍ତ୍ର ଅଟନ୍ତି। ନିଜର ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ଥିବା ପୋକ୍ସୋ ମାମଲାକୁ ଖାରଜ କରି ଦେଇଥିଲେ। ତେବେ ଏହାକୁ ଅନ୍ୟ କୌଣସି ମାମଲାର ଉଦାହରଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି େଦଇଛନ୍ତି।


