
ଚଣ୍ଡିଗଡ଼: ସୋମବାର ପଞ୍ଜାବରେ ଏକ ବଡ଼ କାର୍ଯାନୁଷ୍ଠାନ ଗ୍ରହଣ କରି, ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନ୍ଦର ଶାମ ଅରୋରାଙ୍କ ସହ ଜଡ଼ିତ ୧୬ଟି ସ୍ଥାନରେ ଚଢ଼ାଉ କରିଛି। EDର ଜଳନ୍ଧର ଦଳ ଏହି କାର୍ଯାନୁଷ୍ଠାନ ପରିଚାଳନା କରୁଛି।
ମୋହାଲି, ଚଣ୍ଡିଗଡ଼, ହୋସିଆରପୁର, ଜଳନ୍ଧର ଏବଂ ଲୁଧିଆନା ସମେତ ବିଭିନ୍ନ ସ୍ଥାନରେ ତଲାସୀ ଚାଲିଛି। ED ଦଳ ସୁନ୍ଦର ଶାମ ଅରୋରାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛି। ଏହି ମାମଲା ସହ ଜଡ଼ିତ ଥିବା ପୂର୍ବତନ ମନ୍ତ୍ରୀଙ୍କ ସହଯୋଗୀମାନଙ୍କ ଠିକଣାରେ ମଧ୍ୟ ଯାଞ୍ଚ କରାଯାଉଛି।
ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ର ଏହି କାର୍ଯ୍ୟାନୁଷ୍ଠାନ ଏକ ମାମଲା ସହ ଜଡ଼ିତ, ଯେଉଁଥିରେ ସୁନ୍ଦର ଶାମ ଅରୋରା ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ଅଭିଯୋଗ ଅନୁଯାୟୀ, ମୋହାଲିରେ ୨୫ ଏକର ଜମି ସମ୍ବନ୍ଧୀୟ ଚୁକ୍ତି ସମ୍ପାଦନ କରିବାରେ ସହଯୋଗ କରିବା ଏବଂ ସେହି ଜମି ପାଇଁ ‘ଅନାପତ୍ତି ପ୍ରମାଣପତ୍ର’ (NOC) ହାସଲ କରିଦେବା ବଦଳରେ ଏହି ଲାଞ୍ଚ ନିଆଯାଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ଜମି ଚୁକ୍ତି ଚୂଡ଼ାନ୍ତ ହେବା ପୂର୍ବରୁ ହିଁ ‘ଗୁଲମୋହର ଟାଉନସିପ’ ପକ୍ଷରୁ ୨୭.୫ କୋଟି ଟଙ୍କା ପୈଠ କରାଯାଇସାରିଥିଲା। ଏହି ଜମି ପାଇଁ ‘ଅନାପତ୍ତି ପ୍ରମାଣପତ୍ର’ (NOC) ୨୦୨୦ ମସିହା ନଭେମ୍ବର ୧୭ର ଜାରି କରାଯାଇଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ସୁନ୍ଦର ଶାମ ଅରୋରାଙ୍କ ପୁଅ ପ୍ରତୀକ ଅରୋରାଙ୍କର ଉକ୍ତ ରିଅଲ ଇଷ୍ଟେଟ କମ୍ପାନୀରେ ୩୫ ପ୍ରତିଶତ ଅଂଶଧନ ରହିଛି।




